ଅବିରତ ବର୍ଷା, ତଳି ଇଲାକାକୁ ଡରାଇଲାଣି ବନ୍ୟା ଆଶଙ୍କା

ଭୁବନେଶ୍ୱର : ଅବିରତ ବର୍ଷା । ଉପରମୁଣ୍ଡରେ ବର୍ଷା ଛାଡୁନି କି ତଳମୁଣ୍ଡରେ ଥମୁନି । ମହାନଦୀ ଫୁଲି ଚାଲିଛି । ତଳି ଇଲାକାକୁ ଡରାଇଲାଣି ବନ୍ୟା ଆଶଙ୍କା । ମହାନଦୀ ତଳମୁଣ୍ଡର ୭ ଜିଲ୍ଲାରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଜିଲ୍ଲାର ତଳି ଅଞ୍ଚଳକୁ ସତର୍କ କରାଯାଇଛି । ହୀରାକୁଦ ଜଳଭଣ୍ଡାରର ୩୪ଟି ଗେଟ୍ ଖୋଲାଯାଇଛି ।
ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡରୁ ଜଳ ପ୍ରବାହ ବଢ଼ିବାରେ ଲାଗିଛି । ଆଶଙ୍କା କରାଯାଉଛି, ହୀରାକୁଦର ଆଉ ୪ଟି ଗେଟ ଖୋଲିପାରେ । ଜଳଭଣ୍ଡାରକୁ ଯେଉଁଭଳି ଜଳପ୍ରବାହ ବଢ଼ୁଛି, ଆସନ୍ତାକାଲି ଅପରାହ୍ନକୁ ହୀରାକୁଦକୁ ଉପରମୁଣ୍ଡରୁ ୬ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରିପାରେ । ଏଭଳି ସ୍ଥିତି ଆସିଲେ ଜଳଭଣ୍ଡାର କର୍ତ୍ତୃପକ୍ଷ ୫୦ଟି ପର୍ୟ୍ୟନ୍ତ ଗେଟ ଖୋଲିବା ନେଇ ବିଚାର ବିମର୍ଷ ଚଳାଇଛନ୍ତି । ଯଦି ଏମିତି ହୁଏ, ହୀରାକୁଦରୁ ପ୍ରତି ସେକେଣ୍ଡରେ ପ୍ରାୟ ସାଢ଼େ ୭ ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହେବ । ଛତିଶଗଡ଼ ଓ ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ରବିବାର ତେଲ ନଦୀରୁ ଅଧିକ ପରିମାଣରେ ଜଳ ମହାନଦୀରେ ପଡ଼ିବ ।
ଫଳରେ ମୁଣ୍ଡଳୀରେ ୧୫ ତାରିଖ ସନ୍ଧ୍ୟା ସୁଦ୍ଧା ପ୍ରାୟ ୯ ଲକ୍ଷ ଘନଫୁଟ ଜଳ ପହଞ୍ଚିପାରେ । ଏ ପରିସ୍ଥିତିରେ ମହାନଦୀର ତ୍ରିକୋଣ ଭୂମି ଓ ତଳି ଇଲାକାରେ ପାଣି ପଶିଯିବା ଆଶଙ୍କା ରହିଛି । ଚିନ୍ତାର ବିଷୟ ହେଲା ରବିବାର ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଳ ସମ୍ପଦ ବିଭାଗ ସହ ଅଗ୍ନିଶମ ବିଭାଗ ବି ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଟିମ୍ ପଠାଇଛନ୍ତି ।
Powered by Froala Editor