କନଷ୍ଟେବଳଙ୍କୁ ହତ୍ୟା ଅଭିଯୋଗ, ସଲମାନଙ୍କ ଓକିଲଙ୍କୁ ଗିରଫ କଲା ରାଜସ୍ଥାନ ପୁଲିସ
ସଲମାନଙ୍କ କେସ୍ ଲଢ଼ୁଥିବା ଓକିଲ ମହିପାଲ ବିଷ୍ଣୌଇଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଛି। ଜଣେ କନଷ୍ଟେବଳଙ୍କୁ ଗାଡି ଚଢ଼ାଇ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଛି।
ଏସଏଚଓ ସୁମେରଦାନ ଚରଣ କହିଛନ୍ତି ଯେ, ରାତି ୧୧.୪୦ ସମୟରେ କୁଡି ଭଗତାସନୀ ପୁଲିସ ଷ୍ଟେସନ ଅଞ୍ଚଳର ନାକା ନମ୍ବର-୩ରେ ରାତିରେ ଡ୍ୟୁଟିରେ ଥିଲେ କନଷ୍ଟେବଳ ରମେଶ ସରନ। ସେ ଏକ ଟର୍ଚ୍ଚ ଧରି ଡିଭାଇଡର ନିକଟରେ ଠିଆ ହୋଇଥିଲେ। ଏହି ସମୟରେ, ୧୨୦ କିମି ବେଗରେ ଆସୁଥିବା କାରକୁ ଦେଖି ଡିଭାଇଡର ଉପରକୁ ଚାଲି ଯାଇଥିଲେ ରମେଶ। ହେଲେ କାରଟି ନିୟନ୍ତ୍ରଣ ହରାଇ ଡିଭାଇଡର୍ ଉପରେ ଚଢ଼ିଯାଇଥିଲା। ଫଳରେ ଡିଭାଇଡର ଉପରେ ଛିଡା ହୋଇଥିବା ରମେଶ ସରନଙ୍କ ଉପରେ କାରଟି ଚଢ଼ିଯାଇଥିଲା। ଏହି ଘଟଣା ପରେ ତୁରନ୍ତ ରମେଶଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ତାଙ୍କ ମୁଣ୍ଡ ସହ ଶରୀରର ଅନେକ ଅଂଶରେ ଗଭୀର ଆଘାତ ଲାଗିଥିବା କହିଥିଲେ ଡାକ୍ତର। ଗୁରୁତର କନେଷ୍ଟବଳଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ପୁଲିସ ସଂପୃକ୍ତ ଓକିଲଙ୍କୁ ଗିରଫ କରିଛି।
ଏହି ଘଟଣାରେ ପୁଲିସ ଧାରା ୨୭୯, ୩୦୪(କ) ଆଧାରରେ ମାମଲା ରୁଜୁ କରିଛି। ଗାଡି ଚଳାଉଥିବା ଓକିଲ ମହିପାଲ ବିଷ୍ଣୌଇଙ୍କୁ ଗିରଫ କକରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Powered by Froala Editor