ଟ୍ରେଡିଂ ଆପ ମାୟାଜାଲରେ ଫସି ୨ ଯୁବକ ହରାଇଲେ ୬ଲକ୍ଷ ଟଙ୍କା
ଚନ୍ଦ୍ରଶେଖରପୁର: ଟ୍ରେଡିଂ ଆପ ମାୟାଜାଲରେ ଫସି ୨ଜଣ ଯୁବକ ୬ଲକ୍ଷ ଟଙ୍କା ହରାଇଛନ୍ତି । ସେମାନେ ହେଲେ, ବାରଙ୍ଗ ଅଞ୍ଚଳର ବିଶ୍ୱଜିତ ସାମଲ (୨୮) ଓ ଇନଫୋସିଟି ଅଞ୍ଚଳର ଜିତୁ ନାୟକ (୨୮) । ଶୈଳଶ୍ରୀ ବିହାରରେ ରହୁଥିବା ଜଣେ ମହିଳା ଟ୍ରେଡିଂ ଆପ ଜରିଆରେ କମ ଦିନରେ ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ତାଙ୍କଠାରୁ ସବୁ ଟଙ୍କା ଲୁଟି ନେଇଛନ୍ତି । ଏ ନେଇ ସେମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ସଂପୃକ୍ତ ମହିଳାଜଣଙ୍କ ଘର ଛାଡ଼ି ଫେରାର ହୋଇଯାଇଛନ୍ତି । ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।
ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପ୍ରାୟ ୩ ମାସ ତଳେ ଫେସବୁକରେ ଏକ ବିଜ୍ଞାପନ ଦେଖି ବିଶ୍ୱଜିତ ଓ ଜିତୁ ଅନଲାଇନ ଟ୍ରେଡିଂ ପାଇଁ ମନ ବଳାଇଥିଲେ । ବିଜ୍ଞାପନରେ ଦେଇଥିବା ନମ୍ବରରେ ଯୋଗାଗଯୋଗ କରିବା ପରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ମହିଳାଙ୍କ ସହ ସେମାନଙ୍କର ପରିଚୟ ହୋଇଥିଲା । ମହିଳାଙ୍କ ଡାକରାରେ ଉଭୟ ତାଙ୍କ ଘରେ ପହଞ୍ଚିଥିଲେ । ଏହି ଆପ ଜରିଆରେ ଟଙ୍କା ଲଗାଣ କରି ଖୁବ କମ ସମୟ ମଧ୍ୟରେ ୨୫ରୁ ୩୦ ପ୍ରତିଶତ, ଏପରିକି ବେଳେବେଳେ ମୂଳଧନର ଦୁଇଗୁଣ ଟଙ୍କା ଲାଭ କରିହେବ ବୋଲି ମହିଳାଜଣକ କହିଥିଲେ । ଏଥିପାଇଁ ପ୍ରଥମେ ତାଙ୍କୁ ଆପରେ ଆକାଉଣ୍ଟ ଖୋଲିବା ପାଇଁ ଜଣକା ୧୦ ହଜାର ଟଙ୍କା ଲାଗିବ ବୋଲି କହିଥିଲେ । ଯୁବକ ଦ୍ୱୟ ମଧ୍ୟ ଟଙ୍କା ଦେଇଥିଲେ । ଅଳ୍ପଅଳ୍ପ ଟଙ୍କା ଲଗାଣ କରି ମୋଟାଅଙ୍କର ଲାଭ ହେବାରୁ ସେମାନେ ଅଧିକ ଅର୍ଥ ଲଗାଇଥିଲେ । ମାତ୍ର ତାହା ଚାଲିଯିବାରୁ ଏଥିରୁ ଓହରିଯିବା ପରିବର୍ତ୍ତେ ଯୁବକଦ୍ୱୟ ମହିଳାଙ୍କ କଥାରେ ପଡ଼ି କ୍ଷତି ଟଙ୍କା ଭରଣା କରିବା ପାଇଁ ଆହୁରି ଅର୍ଥ ଲଗାଣ କରିଥିଲେ । ଏପରିକି କଲେଜରେ ନାମଲେଖା ପାଇଁ ଘରୁ ଆଣିଥିବା ୩ଲକ୍ଷ ଲେଖାଏଁ ମୋଟ ୬ଲକ୍ଷ ଟଙ୍କାକୁ ଏଥିରେ ବିନିଯୋଗ କରି ହରାଇଥିଲେ । ପାଖରୁ ଟଙ୍କା ସରିଯିବାରୁ ମହିଳାଜଣଙ୍କ ତାଙ୍କୁ ଆଉ ଘରକୁ ନଆସିବା ପାଇଁ କହିଥିଲେ । ଏନେଇ ଯୁବକଦ୍ୱୟଙ୍କ ପରିବାରଲୋକ ଜାଣିବା ପରେ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
Powered by Froala Editor