କୁସେଇରେ ବୁଡ଼ିଗଲେ ୩ କାଉଡିଆ, ଉଦ୍ଧାର କଲେ ସ୍ୱେଚ୍ଛାସେବୀ
ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଦେଓଗାଁ କୁଶେଳଶ୍ୱର ମନ୍ଦିରକୁ ଜଳାଭିଷେକ କରିବାକୁ ଆସିଥିବା କାଉଡ଼ିଆ କୁସେଇ ନଦୀରେ ବୁଡି ଯାଉଥିବାବେଳେ କିଛି ସ୍ୱେଚ୍ଛାସେବୀ ତାଙ୍କୁ ଉଦ୍ଧାର କରିଛନ୍ତି । ଶ୍ରାବଣ ମାସର ତୃତୀୟ ସୋମବାର ହୋଉଥିବାରୁ ବୋଲବମ କାଉଡ଼ିଆ ଭକ୍ତ ମାନେ ପୁରାତନ ଶୈବପିଠ ଦେଓଗାଁ କୁଶଳେଶ୍ୱର ମନ୍ଦିରରେ ଜଳଲାଗି କରିବା ପାଇଁ କୁସେଇ ନଦୀରେ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । ହାଟଡିହି ବ୍ଲକ ସାସଙ୍ଗ ଗ୍ରାମର ଚିଣ୍ଠୁ ରାଉତ,ଘାଲୁ ପ୍ରଧାନ,ଚନ୍ଦନ ସୁଭୁଧି ଜଳ ଲାଗି କରିବାକୁ ଆସିଥିଲେ । କିନ୍ତୁ ପାଣି ଭାର ଉଠାଉଥିବାବେଳେ ୩ଜଣ ଭକ୍ତ ଫସିଯାଇଥିଲେ l ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳରେ ଥିବା ସ୍ୱେଚ୍ଛାସେବୀ ଯୁବକ ଆକାଶ କୁମାର ସାହୁ ଓ ଡ୍ରାଇଭର ସଂଘର ସଦସ୍ୟ ସିପୁନ ପାତ୍ର ପ୍ରମୁଖ ବୁଡି ଯାଉଥିବା କାଉଡ଼ିଆ ଭକ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଦେଓଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ପରେ ସେମାନଙ୍କର ଚେତା ଫେରିଥିଲା ।
ଏଥିରେ ପ୍ରଶାସନ ପକ୍ଷରୁ କିମ୍ବା ମନ୍ଦିର କମିଟି ପକ୍ଷରୁ କୌଣସି ସୁବିଧା କରାଯାଇନଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ପାଇଁ କୌଣସି ପ୍ରକାର ସୁବିଧା କରାଯାଇ ନାହିଁ । ଏଥିପ୍ରତି ପ୍ରଶାସନ ଧ୍ୟାନଦେଇ ଆଗାମୀ ରବିବାର ଏବଂ ସୋମବାରରେ ଅଗ୍ନିଶ୍ରମ ବିଭାଗ କର୍ମଚାରୀଙ୍କୁ ଦେଓଗାଁ କୁସଳେଶ୍ୱର ମନ୍ଦିର କୁସେଇ ନଦୀକୂଳରେ ସଜାଗ ରହିବାକୁ ଦିଆଗଲେ ଆଉ ଏଭଳି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି ।
Powered by Froala Editor