କ୍ୟାବିନେଟ ବୈଠକରେ ‘୧.୬୪ ଲକ୍ଷ କୋଟି ଟଙ୍କାର ବିଏସଏନଏଲ ପୁନରୁଦ୍ଧାର ପ୍ୟାକେଜ୍’କୁ ଅନୁମୋଦନ

ନୂଆଦିଲ୍ଲୀ : ବିଏସଏନଏଲକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ‘୧.୬୪ ଲକ୍ଷ କୋଟି ଟଙ୍କାର ବିଏସଏନଏଲ ପୁନରୁଦ୍ଧାର ପ୍ୟାକେଜ୍’କୁ ଅନୁମୋଦନ କରାଯାଇଛି ।
ଭାରତୀୟ ଟେଲିକମ୍ ବଜାରରେ ବିଏସଏନଏଲର ଉପସ୍ଥିତି ଏକ ବଜାର ସନ୍ତୁଳନକାରୀ ଭାବେ କାର୍ୟ୍ୟ କରିଥାଏ । ଗ୍ରାମାଞ୍ଚଳରେ ଟେଲିକମ୍ ସେବାର ସମ୍ପ୍ରସାରଣ, ସ୍ବଦେଶୀ ଜ୍ଞାନକୌଶଳର ବିକାଶ ଏବଂ ବିପର୍ୟ୍ୟୟ ସହାୟତା କ୍ଷେତ୍ରରେ ବିଏସଏନଏଲର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଏସଏନଏଲ ସେବାର ଉନ୍ନତିକରଣ ପାଇଁ ଅତିରିକ୍ତ ପୁଞ୍ଜି ବିନିଯୋଗ କରିବା, ସ୍ପେକ୍ଟ୍ରମ ଆବଣ୍ଟନ କରିବା, ବାଲାନ୍ସ ସିଟ୍କୁ ଚାପମୁକ୍ତ କରିବା ଏବଂ ଭାରତ ବ୍ରଡବ୍ୟାଣ୍ଡ ନିଗମ ଲିମିଟେଡ (ବିବିଏନଏଲ) ସହିତ ବିଏସଏନଏଲକୁ ମିଶ୍ରଣ ଜରିଆରେ ଫାଇବର ନେଟୱର୍କକୁ ବଢ଼ାଇବା ଉପରେ ଗୁରୁତ୍ବ ଦେଇ ପୁନରୁଦ୍ଧାର ପ୍ୟାକେଜ୍କୁ କ୍ୟାବିନେଟ ମଞ୍ଜୁରି ମିଳିଛି । ବର୍ତ୍ତମାନର ସେବାରେ ସୁଧାର ଆଣିବା ଏବଂ ୪-ଜି ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ, ଇକ୍ୟୁଟୀ ନିବେଶ ଜରିଆରେ ୪୪,୯୯୩ କୋଟି ଟଙ୍କା ବ୍ୟୟରେ ବିଏସଏନଏଲକୁ ୯୦୦/୧୮୦୦ ମେଗାହର୍ଜ ବ୍ୟାଣ୍ଡର ସ୍ପେକ୍ଟ୍ରମ ଆବଣ୍ଟନ କରାଯିବ । ଏହି ସ୍ପେକ୍ଟ୍ରମ ସହିତ, ବିଏସଏନଏଲ ବଜାର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖିନ ହୋଇପାରିବ ଏବଂ ଗ୍ରାମାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ବ୍ୟାପିଥିବା ଏହାର ବ୍ୟାପକ ନେଟୱର୍କକୁ ବ୍ୟବହାର କରି ହାଇସ୍ପିଡ୍ ଡାଟା ଯୋଗାଇ ଦେଇପାରିବ ।
ସ୍ବଦେଶୀ ଜ୍ଞାନକୌଶଳ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି, ବିଏସଏନଏଲ ଆତ୍ମନିର୍ଭର୪-ଜି ପ୍ରଯୁକ୍ତି ପ୍ରସାରିତ କରୁଛି । ଆସନ୍ତା ୪ ବର୍ଷ ମଧ୍ୟରେ ଆନୁମାନିକ ପୁଞ୍ଜି ବ୍ୟୟ ଆବଶ୍ୟକତାକୁ ପୂରଣ କରିବା ଲାଗି ଭାରତ ସରକାର ପୁଞ୍ଜି ବ୍ୟୟ ନିମନ୍ତେ ୨୨,୪୭୧ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେବେ । ଆତ୍ମନିର୍ଭର ୪-ଜି ପ୍ରଯୁକ୍ତିର ବିକାଶ ଏବଂ ପ୍ରସାର କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ।
Powered by Froala Editor