ଆତ୍ମସମର୍ପଣ କଲେ ମାଓ ଦମ୍ପତି

ପୁଲିସ ନିକଟରେ ଆଜି ଏକ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ କୋସକୋଡି ଏରିଆ କମିଟିର ସଦସ୍ୟ ଜୟସିଂ ଅରଫ ଦରବାରି କୋମରା। ବୟସ ୨୮ ବର୍ଷ। ସରକାର ଜୟସିଂ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଜୟସିଂଙ୍କ ପତ୍ନୀ ସମ୍ମି ଅରଫ ସନ୍ନି ଇରପା ପ୍ଲାଟୁନ ନମ୍ବର ୧୭ର ସଦସ୍ୟା ଅଟନ୍ତି। ସରକାର ସନ୍ନି ନାମରେ ୨ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆତ୍ମସମର୍ପଣ କରିବା ପରେ ଏମାନଙ୍କୁ ପୁଲିସ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ ବୋଲି କୁହାଯାଇଛି।
୨୦୧୧ ମସିହାରେ ଏମାନେ ନକ୍ସଲ କମାଣ୍ଡର ବିକାଶର ସଂସ୍ପର୍ଶରେ ଆସି ନକ୍ସଲ ସଂଗଠନରେ ଜଡିତ ହୋଇଥିଲେ। ଗତ ଦଶ ବର୍ଷ ମଧ୍ୟରେ ବିଭିନ୍ନ ଅଂଚଳରେ ଏମାନେ ବୁଲି ବହୁ ହିଂସା ଘଟାଇଥିଲେ । ଆମାବେଡା ଥାନା ଅଂଚଳର ଅର୍ରା ଗ୍ରାମରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା, କୋତକୁଣ୍ଡରେ ଜଣକୁ ହତ୍ୟା, ତାଡୋକି ଥାନା ଅଂଚଳରେ ପୁଲିସ ଉପରେ ଆକ୍ରମଣ ଭଳି ପ୍ରାୟ ୨୦ରୁ ଉର୍ଦ୍ଧ୍ବ ହିଂସାରେ ଏମାନେ ଜଡିତ ଥିବା ପୁଲିସ କହିଛି।
ତେବେ ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରୁନଥିବାରୁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଏମ.ଆର.ଆହିରେଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି।
Powered by Froala Editor