କ୍ୟାପସୁଲ କରି ଗିଳି ଦେଇଥିଲେ ୯ କୋଟିର ହେରୋଇନ
ଚେନ୍ନାଇ ଏୟାରପୋର୍ଟରୁ ଜଣେ ତାଞ୍ଜାନିଆନ ନାଗରିକଙ୍କ ଠାରୁ ୧.୨୬୬ କେଜିର ହେରୋଇନ ଜବତ କରାଯାଇଛି। ଏହି ଜବତ ହେରୋଇନର ମୂଲ୍ୟ ୯ କୋଟି ଟଙ୍କା ହେବ। ତେବେ ଚାଲାଣ ହେଉଥିବା ଅଭିବନ ଉପାୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ବ୍ୟକ୍ତି ଧରା ନପଡ଼ିବା ପାଇଁ ହେରୋଇନ ଭର୍ତ୍ତି ଥିବା କ୍ୟାପସୁଲକୁ ଗିଳିଦେଇଥିଲେ। ଯାଞ୍ଚ ବେଳେ ତାଙ୍କ ପେଟ ଭିତରୁ ହେରୋଇନ ଜବତ କରାଯାଇଛି।
ସୂଚନାନୁସାରେ, ଅଧିକାରୀମାନେ ଜୁଲାଇ ୧୪ରେ ଉଗାଣ୍ଡାର ଏଣ୍ଟେୱେ ସହରରୁ ଇଥିଓପିଆ ଏୟାରଲାଇନ୍ସର ଇଟି୩୩୫/୬୯୨ ବିମାନରେ ଆସିଥିବା ଏହି ତାଞ୍ଜାନିଆ ନାଗରିକଙ୍କୁ ଅଟକାଇଥିଲେ। ପରେ ଯାଞ୍ଚ କରାଯିବାରୁ ଏହି ବ୍ୟକ୍ତି ହେରୋଇନ ଭର୍ତ୍ତି କ୍ୟାପସୁଲ ଗିଳିଦେଇଥିବା ଜଣାପଡ଼ିଥିଲା। ଏ ବିଷୟରେ ଜାଣି କଷ୍ଟମସ୍ ଅଧିକାରୀ ୯କୋଟିର ହେରୋଇନ ଜବତ କରିଥିବା ଜଣାପଡ଼ିଛି।
ଏହାପୂର୍ବରୁ କଷ୍ଟମ ବିଭାଗ ମେ’ ମାସରେ ମଧ୍ୟ ଜଣେ ଉଗାଣ୍ଡା ନାଗରିକଙ୍କ ପେଟରୁ ୬୩ଟି କ୍ୟାପସୁଲ ଜବତ କରିଥିଲା। ସେ ଏହି କ୍ୟାପସୁଲରେ ହେରୋଇନ ରଖିଥିଲେ।
Powered by Froala Editor