ବୈଷୟିକ ତ୍ରୁଟି ଯୋଗୁଁ କରାଚୀରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
ୟୁଏଇର ଶାରଜାହରୁ ଆସୁଥିବା ଏକ ଇଣ୍ଡିଗୋ ବିମାନ ପାକିସ୍ତାନର କରାଚୀରେ ଜରୁରୀକାଳୀନ ଅବତରଣ କରିଛି । ଆଜି ସକାଳେ ସଂଯୁକ୍ତ ଆରବ ଏମିରେଟସ୍ର ଶାରଜାହରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ‘ଇଣ୍ଡିଗୋ ଏୟାର୍ଲାଇନ୍’ର ଗୋଟାଏ ବିମାନରେ ପାଇଲଟ୍ ବୈଷୟିକ ତ୍ରୁଟି ଲକ୍ଷ୍ୟ କରିବା ପରେ ତାହାକୁ ପାକିସ୍ତାନର କରାଚୀକୁ ନିଆଯାଇଛି। ସେଥିରେ ଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଲାଗି କରାଚୀକୁ ଆଉ ଗୋଟାଏ ବିମାନ ପଠାଇବା ଲାଗି ‘ଇଣ୍ଡିଗୋ ଏୟାର୍ଲାଇନ୍’ ଯୋଜନା କରୁଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଘଟଣାକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଇଣ୍ଡିଗୋ ଏୟାରଲାଇନ୍ସ କହିଛି ଯେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ସତର୍କତା ଅବଲମ୍ବନ କରିବାକୁ ବିମାନଟି ପାକିସ୍ତାନର କରାଚୀକୁ ଯାତ୍ରା କରିଥିଲା । କରାଚୀ ବିମାନ ବନ୍ଦରରେ ଉକ୍ତ ବିମାନଟିର ଯାଞ୍ଚ ଚାଲିଛି। ଯାତ୍ରୀମାନଙ୍କୁ ହାଇଦ୍ରାବାଦକୁ ଆଣିବା ନିମନ୍ତେ ଗୋଟାଏ ଅତିରିକ୍ତ ବିମାନ ପଠାଯାଉଛି।
ସୂଚନାଯୋଗ୍ୟ ଗତ ୨ ସପ୍ତାହ ମଧ୍ୟରେ କରାଚୀରେ ଅବତରଣ କରିବାରେ ଏହା ହେଉଛି ଦ୍ବିତୀୟ ଭାରତୀୟ ଏୟାର୍ଲାଇନ୍ର ବିମାନ। ଜୁଲାଇ ୫ରେ ପ୍ରାୟ ୧୫୦ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ‘ସ୍ପାଇସ୍ଜେଟ୍’ର ଗୋଟାଏ ବିମାନର ଇଣ୍ଡିକେଟର୍ ଲାଇଟ୍ ଅକାମିକା ହୋଇଯିବାରୁ ତାହା କରାଚୀରେ ଅବତରଣ କରିଥିଲା।
Powered by Froala Editor