ଓ୍ବାଏସଆର କଂଗ୍ରେସର ଆଜୀବନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜଗନ ମୋହନ ରେଡ୍ଡୀ

ଅମରାବତୀ: ଆନ୍ଧ୍ରରେ ଶାସନରେ ଥିବା ଓ୍ବାଏସଆର କଂଗ୍ରେସର ଆଜୀବନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଦଳ ଗଠନ ହେବା ପରଠାରୁ ଦଳର ସଭାନେତ୍ରୀ ଭାବେ ଜଗନଙ୍କ ମା’ ବିଜୟାଆମ୍ମା ରହିଆସିଥଲେ । ସଭାନେତ୍ରୀ ପଦରୁ ମା’ଙ୍କ ଇସ୍ତଫା ପରେ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଜଗନ । ଜଗନ ଏହି ଦାୟିତ୍ବ ଆଜୀବନ ଭାବେ ତୁଲାଇବେ ।
ଦୁଇ ଦିନର ବୈଠକ ପରେ ଏହି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଜଗନଙ୍କୁ ଆଜୀବନ ଅଧ୍ୟକ୍ଷ କରିବା ପାଇଁ ଦଳର ସାଙ୍ଗଠନିକ ସାମ୍ବିଧାନରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଛି । ୨୦୧୧ରେ କଂଗ୍ରେସରୁ ଅଲଗା ହୋଇ ନିଜ ବାପାଙ୍କ ନାମରେ ରାଜନୈତିକ ଦଳ ଗଠନ କରିଥିଲେ ଜଗନ । ୨୦୧୭ ଯାଏ ଶେଷଥର ପାଇଁ ଜଗନ ଏହି ଦଳର ଅଧ୍ୟକ୍ଷ ପଦରେ ରହିଥିଲେ । ପରେ ଜଗନଙ୍କ ମା’ ବିଜୟାମ୍ମା ସଭାନେତ୍ରୀ ଭାବେ ସେବେ ଠାରୁ ଦାୟିତ୍ବରେ ରହିଥିଲେ ।ତେବେ ଶୁକ୍ରବାର ଦଳର ମୁଖ୍ୟ ପଦରୁ ବିଜୟାମ୍ମା ଇସ୍ତଫା ଦେଇଥିଲେ । ସେ ତାଙ୍କ ଝିଅ ତଥା ଜଗନଙ୍କ ଭଉଣୀ ସର୍ମିଲାଙ୍କୁ ରାଜନୈତିକ ସହଯୋଗ ପାଇଁ ଦଳ ଛାଡିଥିବା ନିଜେ ସୂଚନା ଦେଇଥିଲେ । ସର୍ମିଲା ବର୍ତ୍ତମାନ ପଡୋଶୀ ତେଲେଙ୍ଗାନାରେ YSR Telangana ନାମକ ରାଜନୈତିକ ଦଳ ମଧ୍ୟ ସଂଞ୍ଚାଳିତ କରୁଛନ୍ତି । ମା’ଙ୍କ ଇସ୍ତଫା ପରେ ଜଗନଙ୍କୁ ନୂଆ ମୁଖ୍ୟ ଭାବେ ଚୟନ କରିଛି ଦଳ ।
ତେବେ ଦଳୀୟ ସମ୍ବିଧାନରେ ପରିବର୍ତ୍ତନ କରି ଜଗନଙ୍କୁ ଆଜୀବନ ଅଧ୍ୟକ୍ଷ ନିର୍ବାଚିତ କରିବା ପରେ ଦଳ ଏବେ ଏପରି ଆଜୀବନ ଅଧ୍ୟକ୍ଷତା ପାଇଁ ନିର୍ବାଚନ କମିଶନ ଠାରୁ ଅନୁମୋଦନ ଚାହିଁବ । ପ୍ରତି ଦୁଇ ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ହେବା ପରିବର୍ତ୍ତେ ଜଗନ ଦଳର ପୂର୍ଣ୍ଣକାଳୀନ ସୁପ୍ରିମୋ ଭାବେ ଦାୟିତ୍ବ ତୁଲାଇବେ ।
Powered by Froala Editor