ସଟ୍ଡାଉନ ନିୟମ ଉଲ୍ଲଂଘନ: ମାଛ, ମାଂସ ଜବତ କଲା ପୁଲିସ

ସପ୍ତାହାନ୍ତ ସଟଡାଉନରେ ବଜାର ଖୋଲିବା ମହଙ୍ଗା ପଡିଛି । ରାଉରକେଲା ଡେଲି ମାର୍କେଟ, ଟ୍ରାଫିକ ଗେଟରେ କିଛି ବ୍ୟବସାୟୀ ମାଂସ ଓ ମାଛ ଦୋକାନ ଖୋଲି ଥିବା ସୂଚନା ପାଇ ଆରଏମସି ଓ ପୁଲିସ ଏନଫୋର୍ସମେଣ୍ଟ ଟିମ ଚଢ଼ଉ କରିଥିଲା l ଚଢ଼ଉ ବେଳେ ଦେଢ଼ କୁଇଣ୍ଟାଲରୁ ଅଧିକ ମାଛ ଓ ୧୦ କେଜି ମାଂସ ଜବତ କରାଯାଇଛି । ଏଥିସହ ୬ଟି ଦୋକାନକୁ ସିଲ୍ କରିଛି ପ୍ରଶାସନ। ସଟଡାଉନରେ ଆମିଷ ବିକ୍ରି କରାଯାଉଥିବା ବେଳେ ଚଢ଼ଉ କରିଥିଲା ପୋଲିସ ।
ସେହିପରି କୋଭିଡ ଗାଇଡ୍ଲାଇନ୍ ଉଲ୍ଲଂଘନ ଅଭିଯୋଗ ହୋଇଛି । ଗତକାଲିଠାରୁ ଆଜି ସକାଳ ପର୍ଯ୍ୟନ୍ତ ୧୨ଲକ୍ଷ ୭୭ହଜାର ୩୦୦ ଟଙ୍କା ଫାଇନ୍ ଆଦାୟ କରିଛି ପୋଲିସ । ୬ଟି କେସ୍ ରୁଜୁ ହୋଇଥିବା ବେଳେ ୧୮ଜଣ ଅମାନିଆଙ୍କୁ ଗିରଫ କରାଯାଇଛି । ୨୪ ଘଣ୍ଟାରେ ୩ ହଜାର ୯୯ଟି ଗାଡ଼ି ଜବତ କରାଯାଇଥିବା ଓଡ଼ିଶା ପୋଲିସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଲକ୍ଡାଉନ୍ ସହ ସଟ୍ଡାଉନ୍ ଫର୍ମୁଲା ଆପଣାଇଛନ୍ତି ରାଜ୍ୟ ସରକାର । ବନ୍ଦ ରହିଛି ଦୋକାନ ବଜାର । ଗାଡ଼ି ଚଳାଚଳ ବି ବନ୍ଦ ରହିଛି । ଟ୍ବିନ୍ସିଟିର ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଉଛି । ଯେଉଁମାନେ ଅମାନିଆ ହୋଇ ବାହାରକୁ ବାହାରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
Powered by Froala Editor