ସାପ କାମୁଡ଼ାରେ ଭାଇ ଭଉଣୀ ମୃତ

ଆଳି : ଆଳି ଥାନା ଗୋବିନ୍ଦପୁର ଗାଁରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି । ସାପ କାମୁଡ଼ାରେ ଗୋବିନ୍ଦପୁର ଗାଁର ଅରୁଣ କୁମାର ଦାଶଙ୍କ ପୁଅ ଓ ଝିଅ ପ୍ରାଣ ହରାଇଛନ୍ତି । ଏକାସାଙ୍ଗରେ ଦୁଇ ପିଲାଙ୍କୁ ହରାଇ ବାପା, ମା’ଙ୍କ ବୁକୁଫଟା କାନ୍ଦ ଅତ୍ୟନ୍ତ ଭାବାବେଗ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ପୂରା ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଛି । ରାତିରେ ଅରୁଣଙ୍କ ୧୧ ବର୍ଷର ପୁଅ ଅଭିଷେକ ଓ ୩ ବର୍ଷର ଝିଅ ଭୂମିକା ସେମାନଙ୍କ ମା’ଙ୍କ ପାଖରେ ଶୋଇଥିଲେ । ବିଳମ୍ବିତ ରାତିରେ ପ୍ରଥମେ ଅଭିଷେକଙ୍କ ହାତକୁ ସାପ କାମୁଡ଼ି ଦେଇଥିଲା । ଅଭିଷେକ ଯନ୍ତ୍ରଣାରେ ଚିକ୍ରାର କରିବାରୁ ଘର ଲୋକେ ଉଠି ପଡ଼ିଥିଲେ । ଦେଖିବା ବେଳକୁ ସାପଟି ନିକଟରେ ଖେଳୁଥିବା ବେଳେ ଅଭିଷେକଙ୍କ ହାତରୁ ରକ୍ତ ବାହାରୁଥିଲା । ଚିକିତ୍ସା ପାଇଁ ପ୍ରଥମେ ଅଭିଷେକଙ୍କୁ ଯାଜପୁର ହସ୍ପିଟାଲ ଓ ରାତି ପ୍ରାୟ ୨ଟା ବେଳେ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଭୂମିକାଙ୍କ ଶରୀରରେ ଲକ୍ଷଣ କି କ୍ଷତ ଚିହ୍ନ ନଥିବାରୁ ତାଙ୍କୁ ସାପ କାମୁଡ଼ି ଥିବା କେହି ଜାଣି ପାରି ନଥିଲେ । ରାତି ପ୍ରାୟ ୩ଟା ବେଳେ ସେ ପେଟ କାଟୁଛି ବୋଲି କହିଥିଲେ । ଏହାର କିଛି ସମୟ ପରେ ଭୂମିକାଙ୍କ ପାଟିରୁ ଫେଣ ବାହାରିବା ସହ ତାଙ୍କର ମୃତୁ୍ୟ ଘଟିଥିଲା । ଗୋଟିଏ ଜୁଇରେ ଭାଇଭଉଣୀ ଶବଦାହ ଦୃଶ୍ୟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଅଭିଷେକ ଜୁଆଣିଆସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ରରେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ ।
Powered by Froala Editor