ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ବବିଙ୍କ ଗୁପ୍ତ ବୈଠକ
ବରଗଡ଼ : ନିର୍ବାଚନ ଥାଉ ବା ନଥାଉ ବିଜେଡ଼ି ସଂଗଠନ ସବୁବେଳେ କିନ୍ତୁ ଚଳଚଂଚଳ ରହିଥାଏ । ଯାହାର ନଜିର ଲକଡାଉନ ଭଳି ସ୍ଥିତିରେ ବି ଦେଖିବାକୁ ମିଳିଛି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବରଗଡ଼ଠାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଗୁପ୍ତ ବୈଠକ କରିଛନ୍ତି । ଏଥିରେ ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ ଉପସ୍ଥିତ ଥିଲେ ।
ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂରେ ବିକାଶ ହସ୍ପିଟାଲରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଶୁଭାରମ୍ଭ କରିଥିଲେ । ଶ୍ରୀ ପ୍ରଧାନ ପଶ୍ଚିମ ଓଡ଼ିଶାକୁ ଫୋକସରେ ରଖାଯିବ ବୋଲି କହିଥିଲେ । ଯାହା ପଶ୍ଚିମ ଓଡ଼ିଶାରେ ରାଜନୈତିକ ବାତାବରଣକୁ ଗରମ କରିଥିଲା । ଏହି ଉତ୍ସବର ଦିନକ ପରେ ବବି ଦାସ ବରଗଡ଼ ଆସି ଗୁପ୍ତ ବୈଠକ କରିବା ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ସମ୍ଭବତଃ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟକୁ ବିଜେଡି ଗୁରୁତର ସହ ଗ୍ରହଣ କରିଛି । ତେଣୁ ଆଗାମୀ ଦିନରେ ବରଗଡ଼ ପାଇଁ କୋଭିଡ ପରିଚାଳନା କ୍ଷେତ୍ରରେ ଏକ ବଡ଼ ଘୋଷଣା ହେବା ସମ୍ଭାବନା ରହିଛି । ଭିତିରିଆ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ବୈଠକରେ ଶ୍ରୀ ଦାସଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୦ଟି ଆଇସିୟୁ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି । ଏହାବାଦ ସ୍ଥାୟୀ ସିଟି ସ୍କାନ ମେସିନ ଯୋଗାଇବା ସହ କରୋନା ସ୍ଥିତି ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ଟିମ ପଠାଇବାକୁ ଜନପ୍ରତିନିଧି ମାନେ ଦାବି କରିଛନ୍ତି । ଜିଲ୍ଲାର କିଛି ଘରୋଇ ହସ୍ପିଟାଲକୁ ନିଜ ନିୟନ୍ତ୍ରଣକୁ ଆଣି ରାଜ୍ୟ ସରକାର ମାଗଣା କୋଭିଡ ଚିକିତ୍ସା ସେବା ଯୋଗାଇବାକୁ ମଧ୍ୟ ଚର୍ଚ୍ଚା ହୋଇଥିବା ଶୁଣିବାକୁ ମିଳୁଛି ।
Powered by Froala Editor