ସ୍କୁଲ ବାହାରେ ସିରିଜ୍ ବୋମା ବିସ୍ଫୋରଣ, ୪୦ ଜଣଙ୍କ ମୃତ୍ୟୁ

ଆତଙ୍କବାଦୀମାନେ କାବୁଲରେ ଥିବା ଗୋଟିଏ ସ୍କୁଲ ଓ ଏହାର ଆଖପାଖ ଅଞ୍ଚଳରେ ସିରିଜ୍ ବୋମା ବିସ୍ଫୋରଣ କରିଛନ୍ତି। ଏଥିରେ ଏଯାଏ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀ ରହିଥିବା ଜଣାପଡ଼ିଛି। ସେହିପରି ଏକାଧିକ କାର ଓ ଗାଡ଼ି ମଧ୍ୟ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି।
ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, କାବୁଲର ଦଶଟ-ଇ-ବାରଚି ଜିଲ୍ଲାରେ ଥିବା ସୟଦ ଉଲ ଶୁହାଦା ସ୍କୁଲ ଓ ଏହାର ଆଖପାଖ ଅଞ୍ଚଳରେ ବିସ୍ଫୋରଣ ହୋଇଛି। ପିଲାମାନେ ସ୍କୁଲରୁ ବାହାରୁ ଥିବା ବେଳେ ହଠାତ୍ ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ଏହି ସମୟରେ ଲୋକମାନେ ମଧ୍ୟ ଇଦ ପାଇଁ କିଣାକିଣି କରିବାକୁ ମାର୍କେଟ ଯାଉଥିଲେ। ହଠାତ୍ ସମସ୍ତଙ୍କୁ ଟାର୍ଗେଟ କରି ହମଲା ହୋଇଥିଲା।
ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀ ହୋଇଥିବାବେଳେ ବିସ୍ଫୋରଣର କାରଣ କ’ଣ ଏବଂ କିଏ ଏହି ବିସ୍ଫୋରଣ କରିଛି ସେ ନେଇ ସୂଚନା ମିଳିପାରିନାହିଁ ।
ଆଜିର ହମଲା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ଆଫଗାନିସ୍ତାନରେ ସକ୍ରିୟ ତାଲିବାନ ପକ୍ଷରୁ ଆକ୍ରମଣକୁ ନିନ୍ଦା କରାଯାଇଛି।
Powered by Froala Editor