କାଳବୈଶାଖୀର ତାଣ୍ଡବ, ବିମାନ ଚଳାଚଳ ବ୍ୟାହତ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରେ ସୋମବାର ତାଣ୍ଡବ ରଚିଛି କାଳବୈଶାଖୀ । ସକାଳୁ ସକାଳୁ ଭାରତର ଉତ୍ତର ପ୍ରାନ୍ତରେ ଥିବା ଅନେକ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହୋଇଛି । ତେବେ କିଛି ସ୍ଥାନରେ ପବନ ଯୋଗୁଁ ବଡ ବଡ ଘର ଭାଙ୍ଗି ଯାଇଛି । ଗମନାଗମନ ପ୍ରଭାବିତ ହୋଇଛି । ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ଅନେକ ବିମାନ ଚଳଚାଳ ମଧ୍ୟ ବିଳମ୍ବିତ ହୋଇଛି । ଏନେଇ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
ଟ୍ବିଟରେ ଦର୍ଶାଯାଇଛି ଯେ, "ଖରାପ ପାଗ ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଥିବାରୁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆସିବା ପୂର୍ବରୁ ବିମାନ ଉଡ଼ାଣର ସମୟ ଆଦି ଯାଞ୍ଚ କରନ୍ତୁ । ବିମାନ ବନ୍ଦର ସହ ଯୋଗାଯୋଗରେ ରୁହନ୍ତୁ ସଠିକ ତଥ୍ୟ ଦିଆଯିବ ।" ସୂଚନାଅନୁସାରେ, ଦିଲ୍ଲୀ, ନୋଏଡ଼ା ଏବଂ ଗାଜିଆବାଦର କେତେକ ପ୍ରାନ୍ତରେ ଭୀଷଣ ପବନ ଓ ବର୍ଷା ଯୋଗୁଁ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଛି।ଆଗାମୀ ଦୁଇ ଘଣ୍ଟା ଧରି ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଝଡ ତୋଫାନରେ ଜରାଜୀର୍ଣ୍ଣ ଘର, ଚାଳଘର କ୍ଷତିଗ୍ରସ୍ତ ହେବା ସହ ଯାନବାହନ ଓ ବିମାନ ଚଳାଚଳ ପ୍ରଭାବିତ ହେବ । ଯଥାସମ୍ଭବ ଲୋକେ ଘରେ ରହିବା ପାଇଁ କୁହାଯାଇଛି ।
Powered by Froala Editor