ଆପ୍କୁ ଝଟକା : ଦଳ ଛାଡିଲେ କର୍ଣ୍ଣେଲ ଅଜୟ କୋଠିଆଲ
ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ୍ ଆଦମୀ ପାର୍ଟି(ଆପ୍)କୁ ଉତ୍ତରାଖଣ୍ଡରେ ବଡ଼ ଝଟକା ଲାଗିଛି। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କର୍ଣ୍ଣେଲ ଅଜୟ କୋଠିଆଲ ଆଜି ଆପରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ନେଇ ଉତ୍ତରାଖଣ୍ଡ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ତେବେ ଦଳରୁ ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ ଯୁବକ, ପୂର୍ବତନ ସୈନିକଙ୍କ ଭାବନାକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେଇଛନ୍ତି। କିନ୍ତୁ, ରାଜନୈତିକ ସମୀକ୍ଷକମାନେ କହିଛନ୍ତି ଯେ ଦଳରେ ତାଙ୍କୁ ଅଣଦେଖା କରାଯାଇଥିବାରୁ ସେ କ୍ଷୁବ୍ଧ ହୋଇଥିଲେ ।
ନିକଟରେ ଆପ୍ ପକ୍ଷରୁ ଦିଲ୍ଲୀରେ କାର୍ଯ୍ୟକାରିଣୀ ବୈଠକ ହୋଇଥିଲା। ଏଥିରେ ଅଜୟ ଯୋଗ ଦେଇ ନଥିଲେ। ଏହି ବୈଠକରେ ଉତ୍ତରାଖଣ୍ଡ ଆପ୍ର ମୁଖ୍ୟ ଭାବେ ଦୀପକ ବାଲିଙ୍କୁ ନିଯୁକ୍ତି ଦିଆଯାଇଥିଲା। ହେଲେ ଏ ସମ୍ପର୍କରେ ଦଳର ହାଇକମାଣ୍ଡ ଅଜୟ କୋଠିଆଲଙ୍କୁ କୌଣସି ସୂଚନା ଦେଇ ନଥିଲେ। ଏହାକୁ ସେ କ୍ଷୁବ୍ଧ ହୋଇଥିଲେ। ଶେଷରେ ସେ ଆଜି ଆପ୍କୁ ଅଲବିଦା କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ମସିହା ଏପ୍ରିଲ ୨୦ରେ ସେ ଆପ୍ରେ ବିଧିବଦ୍ଧ ଭାବେ ମିଶିଥିଲେ।
Powered by Froala Editor