ଦଳ ଛାଡିଲେ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଝାକର

ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଝାକର ଦଳ ଛାଡ଼ିଛନ୍ତି। ଏନେଇ ସେ ନିଜେ ଘୋଷଣା କରିବା ସହ ପାର୍ଟିକୁ ଗୁଡ୍ ଲକ୍ ଓ ଗୁଡ୍ ବାଏ କହିଛନ୍ତି। ଫେସବୁକ୍ର ଏକ ଲାଇଭ ସେଶନରେ ସୁନୀଲ ଝାକର ଏହି ଘୋଷଣା କରିଥିବା ବେଳେ ଏହାକୁ ନିଜ ଟ୍ୱିଟର ପେଜରେ ବି ପୋଷ୍ଟ କରିଛନ୍ତି।
ଝାକର କହିଛନ୍ତି, କେତେକ ପଞ୍ଜାବ କଂଗ୍ରେସ ନେତା ତାଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆଗତ କରିବାରୁ ଶୃଙ୍ଖଳା କମିଟିଦ୍ବାରା ଦଳର ସମସ୍ତ ପଦବୀରୁ ବଞ୍ଚିତ ହୋଇ ସେ ହତୋତ୍ସାହ ହୋଇପଡ଼ିଛନ୍ତି। କଂଗ୍ରେସ ସାଂସଦ ଅମ୍ବିକା ସୋନିଙ୍କୁ ମଧ୍ୟ ସେ ନିନ୍ଦା କରିଛନ୍ତି।
କିନ୍ତୁ, ରାହୁଲ୍ ଗାନ୍ଧୀଙ୍କୁ ପ୍ରଶଂସା କରି ଝାକର କହିଛନ୍ତି, ସେ ଜଣେ ଉତ୍ତମ ବ୍ୟକ୍ତି। ତୋଷାମଦିଆଙ୍କ ଠାରୁ ଦୂରେଇ ରହି ପୁଣି ଥରେ ଦଳର ନେତୃତ୍ବ ଗ୍ରହଣ କରିବା ଲାଗି ମୁଁ ତାଙ୍କୁ ଅନୁରୋଧ କରିବି।
ଏହା ବ୍ୟତିରେକେ, ସେ ଅଭିଯୋଗ କରିଛନ୍ତି ଯେ, ସମ୍ପ୍ରତି ରାଜସ୍ଥାନର ଉଦୟପୁରରେ ଚାଲିଥିବା ତ୍ରିଦିବସୀୟ ଚିନ୍ତନ ଶିବିର ହେଉଛି ଗୋଟାଏ ବାହାନା। ପଞ୍ଜାବ ପୂର୍ବରୁ ବି ବହୁ ଦୁର୍ଦ୍ଦିନ ଦେଖି ସାରିଥିବା ବେଳେ ଏହି ରାଜ୍ୟକୁ ନେଇ କୌଣସି ପଲଟିକ୍ସ ନ କରିବାକୁ ସେ କଂଗ୍ରେସ ପ୍ରେସିଡେଣ୍ଟ ସୋନିଆ ଗାନ୍ଧୀଙ୍କୁ ଅପିଲ କରିଛନ୍ତି।
ସୂଚନାଯୋଗ୍ୟ, ସୁନୀଲ ଝାକର ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ପ୍ରେସିଡେଣ୍ଟ ଥିଲେ। ଏହାପୂର୍ବରୁ ୨୦୦୨ରୁ ୨୦୧୭ ମଧ୍ୟରେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗୁରୁଦାସପୁରରୁ ନିର୍ବାଚନ ଜିତି ଲୋକସଭାକୁ ମଧ୍ୟ ଯାଇଥିଲେ। ପଞ୍ଜାବ ବିଧାନସଭାରେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଥିଲେ।
Powered by Froala Editor