ତାଙ୍କ ଘର ଦାମ୍ ଶୁଣିଲେ ଉଡିଯିବ ହୋସ୍, ଜାଣନ୍ତୁ ସେ କିଏ ଓ କେତେଟଙ୍କା ଦେଇ କିଣିଛନ୍ତି ଘର?

ମୁମ୍ବାଇ: ଅରବପତି ନିବେଶକ ତଥା ଖୁଚୁରା କମ୍ପାନୀ ଡି-ମାର୍ଟର ପ୍ରତିଷ୍ଠାତା ରାଧାକିଷନ ଦମାନି ଭାରତରେ ସବୁଠୁ ମହଙ୍ଗା ଘର କିଣିଛନ୍ତି । ଦକ୍ଷିଣ ମୁମ୍ବାଇର ଆଲିସାନ ଅଞ୍ଚଳ ମାଲାବାର ହିଲଠାରେ ସେ ୧,୦୦୧ କୋଟି ଟଙ୍କା ଦେଇ ଘର କିଣିଥିବା ଜଣାପଡ଼ିଛି । ଖବର ମୁତାବକ ଦମାନ ନିଜ ସାନଭାଇ ଗୋପୀକିଶନ ଦମାନିଙ୍କ ସହ ମିଶି ଏହି ଗୃହ ସମ୍ପତ୍ତି ହାସଲ କରିଛନ୍ତି । ଗ୍ରାଉଣ୍ଡ ଫ୍ଲୋର ଏବଂ ଦୁଇ ମହଲା ବିଶିଷ୍ଟ ଏହି ବଙ୍ଗଳା ‘ମଧୁକୁଞ୍ଜ’ ନାରାୟଣ ଡାଭୋଲକର ମାର୍ଗରେ ୧.୫ ଏକରରୁ ଅଧିକ ଜମିରେ ବ୍ୟାପିଛି । ଘରର ମୋଟ ବିଲଟ-ଅପ ଅଞ୍ଚଳ ପାଖାପାଖି ୬୦,୦୦୦ ବର୍ଗ ଫୁଟ ରହିଛି । ରେଡି ରେକନର ରେଟ ଆଧାରରେ ଏହି ସମ୍ପତ୍ତିର ବଜାର ମୂଲ୍ୟ ୭୨୪ କୋଟି ଟଙ୍କା ହେବ । ଦେଶର ଏହି ସର୍ବାଧିକ ମୂଲ୍ୟର ଆବାସିକ କାରବାର ଚଳିତ ସପ୍ତାହରେ ହୋଇଥିଲା । ଦମାନି ପରିବାର କାର୍ଯ୍ୟାଳୟ ଏଥିପାଇଁ ଷ୍ଟାମ୍ପ ଡୁ୍ୟଟି ବାବଦରେ ୩୦ କୋଟି ଟଙ୍କା ପୈଠ କରିଛି । ତେବେ ଏହି ସମ୍ପତ୍ତିର ପୁନଃ ବିକାଶ ହେବ କିମ୍ବା ଦମାନି ପରିବାର ବର୍ତ୍ତମାନର ଢ଼ାଞ୍ଚାକୁ ହିଁ ଆବାସିକ ଘର ଭାବେ ବ୍ୟବହାର କରିବେ, ତାହା ଚୂଡାନ୍ତ ହୋଇନାହିଁ । ଏ ନେଇ ଦମାନି ପରିବାର ତରଫରୁ କିଛି ସୂଚନା ଦିଆଯାଇନାହିଁ ।