ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

ଘୋର ଆର୍ଥିକ ବିପର୍ଯ୍ୟୟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାରେ ରାନିଲ ବିକ୍ରମସିଂଘେ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବୁଧବାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ରାନିଲଙ୍କ ମଧ୍ୟରେ ଅନୁଷ୍ଠିତ ଏକ ରୁଦ୍ଧଦ୍ୱାର ବୈଠକ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆର୍ଥିକ ସଙ୍କଟ ନେଈ ଶ୍ରୀଲଙ୍କା ଜଳୁଥିବା ବେଳେ ରାନିଲ ଆଜି ଶପଥ ନେଇଛନ୍ତି ।
୨୨୫ ଆସନ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ରାନିଲ ବିକ୍ରମସିଂଘେଙ୍କ ମାତ୍ର ଜଣେ ସଦସ୍ୟ ଅଛନ୍ତି। ଶ୍ରୀଲଙ୍କାର ୪ଥର ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କୁ ୨୦୧୮ ଅକ୍ଟୋବର ମାସରେ ତତ୍କାଳୀନ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ପ୍ରଧାନମନ୍ତ୍ରୀ ପଦରୁ ହଠାଇଥିଲେ। ତେବେ ଏହାର ଦୁଇ ମାସ ପରେ ପୁଣି ଥରେ ବିକ୍ରମସିଂଘେଙ୍କୁ ପଦ ମିଳିଥିଲା। ବିକ୍ରମସିଂଘେଙ୍କୁ ଅନ୍ତରିଣ ପ୍ରଶାସନର ନେତୃତ୍ବ ନେବା ପାଇଁ ସବୁ ଦଳର ସମର୍ଥନ ମିଳିଛି। ଆସନ୍ତା ୬ ମାସ ଯାଏଁ ତାଙ୍କ ସରକାର ଚାଲିପାରିବ।
ସୂତ୍ର ଅନୁସାରେ କ୍ଷମତାରେ ଥିବା ଶ୍ରୀଲଙ୍କା ପୋଦୁଜାନା ପେରାମୁନା (ଏସଏଲପିପି), ବିରୋଧୀ ସମଗୀ ଜନ ବାଲାବେଗାୟା( ଏସଜେବି) ସହ ଅନ୍ୟ ଦଳ ସଂସଦରେ ବିକ୍ରମାସିଂଘେଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ନିଜର ସମର୍ଥନ ଜଣାଇଛନ୍ତି।
ଅନ୍ୟପଟେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ। ସେ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିପାରିବେ ନାହିଁ। ରାଜପକ୍ଷେଙ୍କ ସମେତ ତାଙ୍କ ପୁଅ ନମଲ ରାଜପକ୍ଷେ ଓ ଅନ୍ୟ ୧୫ ଜଣଙ୍କ ଉପରେ କୋର୍ଟ ସମାନ କଟକଣା ଲାଗୁ କରିଛନ୍ତି। ଶ୍ରୀଲଙ୍କା ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଓ ପୋଡ଼ାଜଳା ପାଇଁ ରାଜପକ୍ଷେଙ୍କୁ ଦାୟୀ କରାଯାଉଛି।
Powered by Froala Editor