କ'ଣ ପାଇଁ ବଢ଼ୁଛି ହୃଦ୍ରୋଗୀଙ୍କ ସଂଖ୍ୟା, ଜଣାପଡ଼ିଲା କାରଣ...
ନୂଆଦିଲ୍ଲୀ: ଘରେ ଘରେ ଏବେ ହୃଦ୍ରୋଗୀ । ପ୍ରତି ପରିବାରରୁ କେହି ନା କେହି ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି । ପିଲାଠୁ ବୟସ୍କ, ସମସ୍ତଙ୍କ ଠାରେ ଏହାର ଲକ୍ଷଣ ଦେଖାଯାଉଛି । ଦିନକୁ ଦିନ ହୃଦ୍ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ପ୍ରତିଦିନ ହଜାର ହଜାର ଲୋକ ଏହି ରୋଗର ଶିକାର ହେଉଛନ୍ତି । ଯାହାକୁ ନେଇ ଏବେ ସମସ୍ତେ ଚିନ୍ତିତ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଡାକ୍ତର ଓ ବିଶେଷଜ୍ଞ ସଭିଙ୍କୁ ଘାରିଛି ଏଥିରୁ ମୁକୁଳିବାର ବାଟ । ହେଲେ ଏହା ପଛରେ କାରଣ କ'ଣ? କେଉଁଥିପାଇଁ ହୃଦ୍ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇ ଚାଲିଛି? କ'ଣ ଉପାୟ ଅବଲମ୍ବନ କଲେ ଏଥିରୁ ମୁକ୍ତି ପାଇ ପାରିବା ତାହାକୁ ନେଇ ଚାଲିଛି ତର୍ଜମା ।
ବିଶେଷଜ୍ଞମାନେ ଦିନରାତି ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ବୟୁ ପ୍ରଦୂଷଣ ଏହା ପଛର ଏକ ପ୍ରମୁଖ କାରଣ । ଯେଉଁ ସହରରେ ପ୍ରଦୂଷଣ ଯେତେ ଅଧିକ ସେଠାରେ ହୃଦ୍ରୋଗୀଙ୍କ ସଂଖ୍ୟା ସେତେ ଅଧିକ । ଏହାଛଡ଼ା ଖାଦ୍ୟପେୟ ଓ ଜୀବନ ଶୈଳୀ ମଧ୍ୟ ଅନ୍ୟତମ କାରଣ ବୋଲି କୁହାଯାଉଛି । ହେଲେ ବର୍ତ୍ତମାନ ସବୁଠାରୁ ମାରାତ୍ମକ ଘାତକ ସାଜିଛି ବାୟୁ ପ୍ରଦୂଷଣ । ତେଣୁ ଯଥା ସମ୍ଭବ ଏହାକୁ କମ୍ କରିବାକୁ ସମସ୍ତେ ମତବ୍ୟକ୍ତ କରିଛନ୍ତି ।
ହୃଦ୍ରୋଗକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ବାୟୁ ଗୁଣାବତ୍ତା ନିର୍ଦ୍ଦେଶାବଳୀ ସାଂଘାତିକ ତଥ୍ୟ ପ୍ରଦନ କରିଛି । ସଂସ୍ଥା ପକ୍ଷରୁ କୁହାଯାଇଛି, ସ୍ଥିରୀକୃତ ପ୍ରଦୂଷଣ ସ୍ତରଠାର ନିମ୍ନମାନର ବାୟୁ ସଂସ୍ପର୍ଶରେ ଆସିବାର ମାତ୍ର ଏକ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତି ହୃଦ୍ରୋଗରେ ଆକ୍ରାନ୍ତ ହୋଇପାରେ । କେବଳ ସେତିକି ନୁହେଁ, ଯଦି ଜଣେ ସୁସ୍ଥ ବ୍ୟକ୍ତି ପ୍ରଦୂଷଣ ସହରରେ ଜୀବନଯାପନ କରନ୍ତି ତେବେ ତାଙ୍କ ଆୟୁଷ ମଧ୍ୟ କମିଥାଏ । ଯେଉଁଥିପାଇଁ ଗାଁରେ ରହୁଥିବା ଲୋକମାନେ ସହରରେ ବସବାସ କରୁଥିବା ବ୍ୟକ୍ତିଙ୍କ ଠାରୁ ଅଧିକ ନିରୋଗ । ପ୍ରଦୂଷଣ ବାୟୁ ସଂସ୍ପର୍ଶରେ ଆସିଲେ ବୟସ୍କ ଲୋକ ଅଧିକ ହୃଦ୍ଘାତର ଶିକାର ହେଉଥିବା ଗବେଷଣାରୁ ଜଣାପଡ଼ିଛି । ଯୁବପିଢ଼ି ଓ ଛୋଟ ପିଲା ବୟସ୍କ ବ୍ୟକ୍ତି ତୁଳନାରେ କମ୍ ହୃଦ୍ଘାତର ଶିକାର ହେଉଥିବା କୁହାଯାଇଛି ।
ଚୀନ୍ର ଏକ ସଂସ୍ଥା ବିଶ୍ୱର କିଛି ମେଟ୍ରୋ ଓ ଛୋଟ ସହରକୁ ନେଇ ସର୍ଭେ କରିଥିଲା । ଏଥିରୁ ଜଣାପଡ଼ିଥିଲା ମେଟ୍ରୋ ସହରର ଲୋକମାନେ ଅଧିକ ହୃଦ୍ଘାତ ଆକ୍ରାନ୍ତ ହେଉଛନ୍ତି । ଏହା ପଛର ମୁଖ୍ୟ କାରଣ ହେଉଛି ସେଠାରେ ଦୈନନ୍ଦିନ ବୃଦ୍ଧି ପାଉଥିବା ଗାଡ଼ିମୋଟର ଚଳାଚଳ, କଳ କାରଖାନାରୁ ନିର୍ଗତ ଅଙ୍ଗାରକାମ୍ଲ । ଯାହାକି ଛୋଟ ସହରରେ ଅପେକ୍ଷାକୃତ କମ୍ । ସେହିପରି ବର୍ଷର ଶୀତ ଋତୁରେ ଅଧିକ ଲୋକେ ହୃଦ୍ଘାତର ଶିକାର ହେଉଥିବା ଜଣାପଡ଼ିଛି । କାରଣ ଏହି ସମୟରେ ବାୟୁ ମଣ୍ଡଳ ଶୁଷ୍କ ରହିଥାଏ । ଫଳରେ ପ୍ରଦୂଷଣ ମାତ୍ରା ଅନ୍ୟ ଋତୁ ଅପେକ୍ଷା ଢେର ଅଧିକ ଥାଏ । ଏହାଛଡ଼ା ମେଟ୍ରୋ ସହରରେ ରହୁଥିବା ଲୋକଙ୍କ ଜୀବନଶୈଳୀ ମଧ୍ୟ ଅନ୍ୟ ଏକ ପ୍ରମୁଖ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏଥିରୁ ମୁକ୍ତି ପାଇବାକୁ ହେଲେ ଆମକୁ ପରିବେଶ ସୁରକ୍ଷା ପ୍ରତି ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ସେହିଭଳି ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ଘର ନିକଟରେ ଗଛ ଲଗାଇବାକୁ କୁହାଯାଇଛି । ଏହାଦ୍ୱାରା ପରିବେଶ ପ୍ରଦୂଷଣ ରୋକାଯାଇ ପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି ।
Powered by Froala Editor