ମିଶନ ୨୦୨୪: ନବୀନ ନିବାସରେ ବିଜେଡି ସାଙ୍ଗଠନିକ ବୈଠକ

ଭୁବନେଶ୍ୱର: ଶନିବାର ନବୀନ ନିବାସରେ ବିଜେଡିର ସାଙ୍ଗଠନିକ ବୈଠକ ବସିଥିବା ଜଣାଯାଇଛି । ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ବୈଠକ ବସିଥିବା କୁହାଯାଉଛି । ଆଜିର ପ୍ରଥମ ପର୍ଯ୍ୟାୟ ଆଲୋଚନା ପରିପ୍ରେକ୍ଷୀରେ ୯ଟି ଜିଲ୍ଲା ପର୍ଯ୍ୟବେକ୍ଷକମାନେ ବୈଠକରେ ଉପସ୍ଥିତ ଥିବା ଜଣାଯାଇଛି । କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼, ଅନୁଗୁଳ, ନବରଙ୍ଗପୁର, ଢେଙ୍କାନାଳ ଓ ସୁନ୍ଦରଗଡ଼ର ପର୍ଯ୍ୟପେକ୍ଷକଙ୍କ ସହ ଆଲୋଚନା କରାଯାଉଥିବା ଜଣାଯାଇଛି । ପଞ୍ଚାୟତ ଓ ପୌର ଫଳାଫଳ ସହ ସଂଗଠନ ମଜଭୂତ ନେଇ ମଧ୍ୟ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।
ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ପ୍ରତିଟି ଲୋକାଭିମୁଖୀ ଯୋଜନା ଓ ବିକାଶ ସହ ଯୋଡ଼ି ହେବେ ସାଧାରଣ ଲୋକ । ଆଜିଠାରୁ ୩ ଦିନ ସାଙ୍ଗଠନିକ ସ୍ଥିତିକୁ ନେଇ ଜିଲ୍ଲାଓ୍ବାରୀ ପର୍ୟ୍ୟବେକ୍ଷକଙ୍କ ସହ ସମୀକ୍ଷା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩୩ଟି ସାଙ୍ଗଠନିକ ଜିଲ୍ଲାର ପର୍ୟ୍ୟବେକ୍ଷକମାନଙ୍କ ସହ ନବୀନ ନିବାସରେ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିବେ ବିଜେଡି ସୁପ୍ରିମୋ । ପ୍ରତ୍ୟେକ ଦିନ ସକାଳୁ ସନ୍ଧ୍ୟା ଭିତରେ ବିଭିନ୍ନ ସମୟରେ ଦୁଇରୁ ତିନିଜଣ ଲେଖାଏଁ ପର୍ୟ୍ୟବେକ୍ଷକମାନଙ୍କ ସହିତ ସଭାପତି ଆଲୋଚନା କରିବା ନେଇ କାର୍ୟ୍ୟକ୍ରମ ରହିଛି ।
ଆଗାମୀ ଦିନରେ ସଂଗଠନକୁ ଲୋକପ୍ରିୟତାର ଶୀର୍ଷରେ ପହଁଚାଇବାକୁ ଗୁରୁମନ୍ତ୍ର ଦେବେ ନବୀନ ପଟ୍ଟନାୟକ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମୀକ୍ଷା ବୈଠକରେ ନବୀନ ଜିଲ୍ଲାୱାରୀ ସଫଳତା ଓ ବିଫଳତାର ହିସାବ ନେବେ । ଏଥିସହିତ ଯେଉଁ ଜିଲ୍ଲାପରିଷଦ ଜୋନରେ ଆଶାନୁରୂପ ପ୍ରଦର୍ଶନ କରିପାରିନି ଦଳ, ସେଠାରେ ପୁଣି ଥରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ ।
Powered by Froala Editor