ପ୍ରଫୁଲ୍ଲ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: କିମ୍ବଦନ୍ତୀ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି । ଜଣେ ଗୀତିକାର ସଂଗୀତଜ୍ଞ ତଥା ସଂଗୀତ ନିର୍ଦେଶକ ଭାବରେ ସେ ଅନେକ ଗୌରବାମୟ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି ।
ପ୍ରଫୁଲ୍ଲ କରଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି। ତାଙ୍କର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ଓ ନିର୍ଦେଶନା ଲୋକଙ୍କ ହୃଦୟରେ ତାଙ୍କୁ ସର୍ବଦା ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସ୍ବର୍ଗତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ମନ୍ତ୍ରୀ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
୮୩ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ସଙ୍ଗୀତ ଯାଦୁକର । ଶହ ଶହ ସୁମଧୁର ଗୀତରେ ଓଡ଼ିଆ ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଆଖି ବୁଝିଛନ୍ତି । ରବିବାର ରାତି ୯.୩୦ରେ ପ୍ରଫୁଲ କରଙ୍କ ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁତ୍ର ମହାଦୀପ କର ।
ଭୁବନେଶ୍ୱର ସତ୍ୟନଗର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସଂଗୀତ ସାଧକ ପ୍ରଫୁଲ କରଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ ଭାରତ ସରକାର । ଯେଉଁଥିପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଓଡ଼ିଶାରେ ଓଡ଼ିଆ ସଙ୍ଗୀତର ବୀଜ ଅଙ୍କୁରୋପଣ କରିବାରେ ପ୍ରଫୁଲ୍ଲ କରଙ୍କ ରହିଛି ଅତୁଳନୀୟ ଅବଦାନ ।
Powered by Froala Editor