ଓଡ଼ିଆ ସଂଗୀତ ଜଗତର ଏକ ଯୁଗର ଅବସାନ ଘଟିଲା:ଧର୍ମେନ୍ଦ୍ର
ଭୁବନେଶ୍ବର: ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସଂଗୀତଜ୍ଞ, ଗୀତିକାର, ଲେଖକ, ସ୍ତମ୍ଭକାର ପ୍ରଫୁଲ୍ଲ କର ଆଉ ନାହାନ୍ତି। ସତ୍ୟନଗରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ୮୩ ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। କିନ୍ତୁ ପରିଣତ ବୟସ ପର୍ୟ୍ୟନ୍ତ ସେ ସଂଗୀତ ସାଧନାରେ ବ୍ରତୀ ଥିଲେ। ତାଙ୍କ ମୃତ୍ୟୁ ସାଂସ୍କୃତିକ ଜଗତ ପ୍ରତି ଧକ୍କା ବୋଲି ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରି କହିଛନ୍ତି। ଏ ସଂକ୍ରାନ୍ତରେ ଶୋକ ବ୍ୟକ୍ତ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଗୀତିକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ, ସିନେମା ଓ ଆଧୁନିକ ସଂଗୀତରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ସେ ଲୋକଙ୍କ ମନରେ ଚିର ସ୍ମରଣୀୟ ହୋଇ ରହିବେ। ତାଙ୍କ ସହ ମୋର ଅନେକ ସାକ୍ଷାତ ହୋଇଛି। ସେ ଜଣେ ଅମାୟିକ ଓ ସ୍ନେହୀ ସ୍ବଭାବର ଥିଲେ। ସଙ୍ଗୀତ ଜଗତ ପ୍ରତି ତାଙ୍କର ଭଲ ପାଇବା ଓ ଏକାଗ୍ରତା ଥିଲା ବିରଳ। ଯାହା ସେ ଅତୀତରେ ପ୍ରମାଣିତ କରିଥିଲେ। ଅନେକ ସମ୍ମାନର ଅଧିକାରୀ ଶ୍ରୀ କରଙ୍କ ବିୟୋଗରେ ଓଡ଼ିଆ ସଂଗୀତ ଜଗତର ଏକ ଯୁଗର ଅବସାନ ଘଟିଲା। ସ୍ବର୍ଗତ କରଙ୍କ ପ୍ରତିଟି କାଳଜୟୀ ଗୀତ ତାଙ୍କୁ ସବୁ ଦିନ ପାଇଁ ଅମର କରି ରଖିବ। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି।
୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫୁଲ୍ଲ କର। ପିତାଙ୍କ ନାମ ପିତା ବୈଦ୍ୟନାଥ କର ଓ ମାତା ସୁଶିଳା କରଙ୍କ ସନ୍ତାନ ଥିଲେ ପ୍ରଫୁଲ୍ଲ କର । ତାଙ୍କ ପରିବାରରେ ସଂଗୀତମୟ ପରିବେଶ ଥିଲା । ସମଗ୍ର ପରିବାର ହିଁ ତାଙ୍କର ଥିଲା ସଙ୍ଗୀତର ଆସର । ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞମାନଙ୍କୁ ଶୁଣିବାର ସୁଯୋଗ ପାଇଥିଲେ ଓ ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁଁ ଘରେ ତାଙ୍କର ଲାଳନ ପାଳନ ହୋଇଥିଲା ।
ପ୍ରଫୁଲ୍ଲ କର ପ୍ରାୟ ୭୦ରୁ ଅଧିକ ଓଡ଼ିଆ ସିନେମା ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପାରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି ।
Powered by Froala Editor