କଳ୍ପନା ଦାଶ ଓ ଝିଅ ବବଲି ହତ୍ୟାକାଣ୍ଡ ମାମଲା : ଅନୁପ ସାଏଙ୍କୁ ଆଜୀବନ ଜେଲ୍

ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ଡବଲ୍ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ଏହି ଡବଲ ମର୍ଡର ଘଟଣାରେ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ରାୟଗଡ଼ ଅପର ଜିଲ୍ଲା କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା ବେଳେ ଜାମିନରେ ଥିବା ଅନ୍ୟତମ ଅଭିଯୁକ୍ତ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ନିର୍ଦ୍ଦୋଶରେ ଖଲାସ କରିଥିବା ଜଣାଯାଇଛି। ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ବିଚାରପତି କମଲେଶ ଜଗଦଲା ଏହି ମାମଲାର ବିଚାର କରି ଭାରତୀୟ ଦଣ୍ଡବିଧି ଆଇନର ୩୦୨, ୧୨୦ ବି ଓ ୨୦୧ ରେ ଅନୁପଙ୍କୁ ଆଜୀବନ କାରାଦଣ୍ଡ ସହିତ ଉପରୋକ୍ତ ଦଫା ଗୁଡ଼ିକରେ ୫ ହଜାର ଟଙ୍କା ଲେଖାଁଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସରକାରୀ ଓକିଲ ଦୀପକ ଶର୍ମା ଓ ଅନୁପଙ୍କ ପାଇଁ ବିଜୟ ସରାଫ ମକଦ୍ଦମା ପରିଚାଳନା କରୁଥିଲେ। କୋର୍ଟ ପ୍ରାୟ ୫୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିଥିବା ଜଣାଯାଇଛି।
ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍ଲିଙ୍କୁ ଅତି ବୀଭତ୍ସ ଭାବେ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୁଲିସ୍ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ୨୦୨୦ ଫେବ୍ରୁଆରୀ ୧୩ ତାରିଖରେ ଗିରଫ କରିଥିଲା। ତେବେ ଜେଲ୍ରେ ଥିବା ବେଳେ ହଠାତ୍ ଅନୁପ ଅସୁସ୍ଥ ହୋଇପଡ଼ିଥିଲେ। କିଛି ଦିନ ଚିକିତ୍ସା ପରେ ସେ ପୁଣି ଥରେ ଜେଲ୍କୁ ଫେରିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି।
Powered by Froala Editor