ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବାତ୍ୟା ଆଶଙ୍କା ଘନେଇଲା

ମେ’ ଦ୍ବିତୀୟ ସପ୍ତାହ ବେଳକୁ ବାତ୍ୟା ଆସିପାରେ। ଆମେରିକାର ଗ୍ଲୋବାଲ୍ ଫୋର୍କାଷ୍ଟ୍ ମଡେଲର ସୂଚନା ମୁତାବକ, ମେ’ ୧୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଘନୀଭୂତ ହୋଇ ୧୨ ତାରିଖ ବେଳକୁ ଲଘୁଚାପରେ ଓ ଅଧିକ ଘନୀଭୂତ ହୋଇ ୧୩ ତାରିଖ ଆଡ଼କୁ ବାତ୍ୟାର ରୂପ ନେବ। ଏହା ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଉପକୂଳ ଛୁଇଁବାର ଆଶଙ୍କା ରହିଛି। ଅପର ପକ୍ଷରେ ଆଉ କିଛି ମଡେଲ ଆକଳନ କରୁଛନ୍ତି ଯେ ଏହା କେବଳ ଘୂର୍ଣ୍ଣିବଳୟରେ ସୀମିତ ରହିବ। ବାତ୍ୟାର ରୂପ ନେବାର ସମ୍ଭାବନା ନାହିଁ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ମୁତାବକ, ବର୍ତ୍ତମାନ ଓଡ଼ିଶାକୁ କୌଣସି ବାତ୍ୟାର ସମ୍ଭାବନା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ନାହିଁ। ବଙ୍ଗୋପସାଗରରେ ସେଭଳି କିଛି ସିଷ୍ଟମ୍ ସୃଷ୍ଟି ହେଲେ ଆମେ ଖୁବ୍ ଶୀଘ୍ର ସୂଚନା ଦେବୁ ବୋଲି ସେ କହିଛନ୍ତି।
ପାଣିପାଗ ବିଶେଷଜ୍ଞ କହିଛନ୍ତି, ମୌସୁମୀ ଆସିବା ପୂର୍ବରୁ ଏମିତି ଅନେକ ଗୁଡ଼ିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ। ଆଉ ଏହି ସବୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ କରିବାରେ ସାହାଯ୍ୟ କରେ। ତେବେ ସାମ୍ଭାବ୍ୟ ଘୂର୍ଣ୍ଣିବଳୟ କେଉଁ ରୂପ ନେବ ସେ ନେଇ ୩/୪ ଦିନ ପରେ ଅଧିକ ସ୍ପଷ୍ଟ କହିହେବ ବୋଲି କହିଛନ୍ତି।
ଏହାବାଦ୍ ସୋମବାର ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଅଛି । ଘଡ଼ଘଡ଼ି ସହ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବୋହିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ତେଣୁ ଏହି ଜିଲ୍ଲାର ଲୋକମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
Powered by Froala Editor