ସ୍ଥିତି ଅଣାୟତ : ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
ଶ୍ରୀଲଙ୍କାରେ ଅର୍ଥନୀତି ବିଗିଡ଼ି ଯାଇଛି। ଜଳାପୋଡ଼ା ଭଙ୍ଗାରୁଜା ଚାଲିଥିବାରୁ ବାଧ୍ୟ ହୋଇ ୩୬ ଘଣ୍ଟା ପାଇଁ ପୂରା ଦେଶରେ କର୍ଫ୍ୟୁ ଜାରି କରିଛନ୍ତି ଶ୍ରୀଲଙ୍କା ସରକାର। ଶନିବାର ସନ୍ଧ୍ୟା ୬ ଠାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। କର୍ଫ୍ୟୁ ସମୟରେ ଅତି ଆବଶ୍ୟକ କାମ ନ ପଡ଼ିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ଦେଶରେ ମହଙ୍ଗା ମାଡ଼, ଶକ୍ତି ସମ୍ଭଳର ଅଭାବ ଓ ନିଯୁକ୍ତି ସମସ୍ୟା ଯୋଗୁ ସରକାରଙ୍କ ଉପରେ ଲୋକଙ୍କ ରାଗ ଚମର ସୀମାରେ ପହଞ୍ଚିଛି। ଆର୍ଥିକ ସଙ୍କଟରୁ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ବିସ୍ଫୋରକ ପରିସ୍ଥତି ପାଇଁ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।
ଶ୍ରୀଲଙ୍କାର ସାମ୍ବିଧାନିକ ଧାରା ୧୫୫ ଅନୁଯାୟୀ ଦେଶରେ ଜରୁରୀକାଳୀନ ବ୍ୟବସ୍ଥା ଘୋଷଣା ପାଇଁ ରାଷ୍ଟ୍ରପତିଙ୍କ ହାତରେ କ୍ଷମତା ରହିଛି। ରାଷ୍ଟ୍ରପତିଙ୍କ ଦ୍ୱାରା ଘୋଷିତ ଜରୁରୀକାଳୀନ ବ୍ୟବସ୍ଥାକୁ କୋର୍ଟରେ ଚାଲେଞ୍ଜ ହୋଇପାରିବ ନାହିଁ। ଏହି ବ୍ୟବସ୍ଥା ମାସେ ପର୍ଯ୍ୟନ୍ତ କାଏମ ରହିବାର ନିୟମ ରହିଛି । ଶ୍ରୀଲଙ୍କାର ସଂସଦ ଏହି ଜୁରରୀକାଳୀନ ଘୋଷଣାକୁ ୧୪ ଦିନ ମଧ୍ୟରେ ମଞ୍ଜୁର ହେବା ବିଧି ରହିଛି। ଯଦି ସଂସଦରେ ଏହି ବ୍ୟବସ୍ଥା ପାରିତ ନହୁଏ ତେବେ ଏହା ରଦ୍ଦ ହୋଇଯିବ।
ସୂଚନା ଯେ, ସ୍ୱାଧୀନତା ପରଠାରୁ ଏବେ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ପରିସ୍ଥିତିର ସାମ୍ନା କରିଛି। ଆବଶ୍ୟକୀୟ ଆମଦାନୀ ପାଇଁ ବିଦେଶୀ ମୁଦ୍ରା ପୈଠ କରିବାକୁ ଶ୍ରୀଲଙ୍କା ପାଖରେ ଟଙ୍କା ନାହିଁ। ଶ୍ରୀଲଙ୍କାରେ ବର୍ତ୍ତମାନ ଡିଜେଲର ଅଭାବ ଦେଖାଦେଇଛି। ଏଥିପାଇଁ ପରିବହନ ବିଭାଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
Powered by Froala Editor