୫୦ ବର୍ଷର ସୀମା ବିବାଦ ତୁଟିଲା, ଆସାମ-ମେଘାଳୟ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ

ଆସାମ ଓ ମେଘାଳୟ ମଧ୍ୟରେ ଦୀର୍ଘ ୫୦ ବର୍ଷ ହେଲା ଜାରି ରହିଥିବା ସୀମା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଉକ୍ତ ଶାନ୍ତି ଚୁକ୍ତି କରିଛନ୍ତି। ଚୁକ୍ତି ସମୟରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।
ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଚାଲିଆସୁଥିବା ସୀମା ବିବାଦର ସମାପ୍ତି ପାଇଁ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତି ଉତ୍ତର-ପୂର୍ବ ପାଇଁ ଏକ ଐତିହାସିକ ଦିନ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ମେଘାଳୟ ସରକାରଙ୍କ୧୧ଜଣ ଏବଂ ଆସାମର ୯ଜଣ ପ୍ରତିନିଧି ଏହି ଅବସରରେ ଉପସ୍ଥିତ ଥିଲେ। ବିବାଦମୁକ୍ତ ଉତ୍ତର-ପୂର୍ବ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ମୋଦୀଜୀ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ସେ ଉତ୍ତର-ପୂର୍ବର ଗୌରବ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି ବୋଲି ଅମିତ ଶାହା କହିଛନ୍ତି।
ଦୁଇ ରାଜ୍ୟ ମଧ୍ୟରେ ଉପର ତାରାବାରି, ଗାଜାଙ୍ଗ ସଂରକ୍ଷିତ ଜଙ୍ଗଲ, ହାହିମ, ଲାଙ୍ଗପି, ବୋରଦୌର, ବୋକଲାପଡ଼ା, ନୋଙ୍ଗୱା, ମାତାମଉର, ଖାନାପଡ଼ା-ପିଲାଙ୍ଗକାଟା, ଦେଶଦେମୋରେହା ବ୍ଲକ-୧ ଓ ବ୍ଲକ ୨, ଖାଣ୍ଡୁଲି ଏବଂ ରେଟାଚେରା ଅଞ୍ଚଳକୁ ନେଇ ବିବାଦ ଲାଗି ରହିଥିଲା। ଏହି ସବୁ ଅଞ୍ଚଳ ଦୁଇ ରାଜ୍ୟର ସୀମାରେ ଅବସ୍ଥିତ।
ଏହା ଉପରେ ଉଭୟ ରାଜ୍ୟ ନିଜର ଅଧିକାର ଜାହିର କରି ଚାଲିଥିଲେ। ତେଣୁ ଅନେକ ସମୟରେ ସୀମାରେ ଉତ୍ତେଜନା ଦେଖିବାକୁ ମିଳୁଥିଲା। ମେଘାଳୟ ସରକାର ଆସାମ ରିଅର୍ଗାନାଇଜେସନ ଆକ୍ଟ ୧୯୭୧ ଅନୁସାରେ ପଦକ୍ଷେପ ନେଉଥିବା ବେଳେ ଏହାକୁ ବିଭିନ୍ନ ସମୟରେ ଚ୍ୟାଲେଞ୍ଜ କରାଯାଉଛି। ତେଣୁ ଦୁଇ ରାଜ୍ୟ ମଧ୍ୟରେ ପ୍ରାୟ ୫୦ ବର୍ଷ ହେଲା ସୀମା ବିବାଦ ଲାଗି ରହିଥିଲା।
ଆସାମ ଏବଂ ମେଘାଳୟ ସରକାର ସେମାନଙ୍କ ସୀମାରେ ଥିବା ୧୨ଟି ବିବାଦୀୟ ଅଞ୍ଚଳ ଭିତରୁ ୬ଟି ବିବାଦର ସମାଧାନ ପାଇଁ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିଲେ । ଏହାକୁ ଚୂଡ଼ାନ୍ତ କରାଯାଇ ଆଜି ଚୁକ୍ତି ସ୍ବାକ୍ଷରିତ ହୋଇଛି।
Powered by Froala Editor