ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବେ ନବୀନ

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସଦର ସେଣ୍ଟ୍ରାଲ ହଲରେ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରୁ ଉଷୁନା ଚାଉଳ ଉଠାଣ, ଆବାସ ଯୋଜନାରେ ଘର ଯୋଗାଣ, କୋଇଲା ରାଜ୍ୟଭାଗ ବୃଦ୍ଧି ଓ ବିପର୍ୟ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇପାରେ । ଏହାସହ ବକେୟା ଥିବା ଧାନ କ୍ରୟ ବାବଦ ରିହାତି, ଜିଏସଟି ବାବଦ ବକେୟା ଦେୟ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ।
ସେହିପରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଭବନସ୍ଥିତ ବିଜେଡି କାର୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦମାନଙ୍କ ସହ ଆଜି ଆଲୋଚନା କରିବେ । ଏହା ସହ ସେ ବିଜେଡି ସଂସଦୀୟ ବୈଠକରେ ମଧ୍ୟ ଯୋଗଦେବେ । ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ଶାଣିତ ସ୍ୱରରେ ସଂସଦରେ ଉପସ୍ଥାପନ ପାଇଁ ସେ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ମିଳିଛି । ବିଭିନ୍ନ ମନ୍ତ୍ରାଳୟରେ ବିଚାରାଧୀନ ଥିବା ରାଜ୍ୟର ବିଭିନ୍ନ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକରେ ସମୀକ୍ଷା କରିପାରନ୍ତି ।
ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାରଠାରୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।
Powered by Froala Editor