ଚୀନର ଭୟଙ୍କର ବିମାନ ଦୁର୍ଘଟଣା, ଗଲା ୧୩୨ ଜୀବନ
ବେଜିଂ: ଚୀନର ଗୁଆଙ୍ଗସି ଅନ୍ତର୍ଗତ ଉଝୌ ସହର ନିକଟରେ ଗତକାଲି ଏମ ବୋଇଂ ୭୩୭ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ସମସ୍ତ ୧୩୨ଜଣ ପ୍ରାଣ ହରାଇଛନ୍ତି । ବିମାନରେ ୧୨୩ଜଣ ଯାତ୍ରୀ ଓ ୯ଜଣ କର୍ମଚାରୀ ଥିଲେ । ସୂଚନା ଅନୁସାରେ ଚୀନ୍ ଇଷ୍ଟର୍ଣ୍ଣ ଏୟାର ଲାଇନ୍ସର ଏହି ବିମାନ ଏମ୍ୟୁ ୫୭୩୫ କୁନମିଙ୍ଗରୁ ଅପରାହ୍ନ ୧ଟା ୧୧ରେ ଯାତ୍ରୀଙ୍କୁ ଧରି ଗୁଆଙ୍ଗଝୌ ଯାଉଥିଲା । ସେଠାରେ ଅପରାହ୍ନ ୩ଟା ୫ରେ ଅବତରଣ କରିଥାନ୍ତା । କିନ୍ତୁ ବିମାନଟି ଉଡାଣ ଆରମ୍ଭ କରିବାର ୧ଘଣ୍ଟା ୧୧ ମିନିଟ୍ ପରେ ଅର୍ଥାତ ୨ଟା ୨୨ରେ ହଠାତ୍ ରାଡାରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା । ଫ୍ଲାଇଟ୍ ରାଡାର ୨୪ ତଥ୍ୟ ଅନୁସାରେ ସେହି ସମୟରେ ବିମାନଟି ୨୯,୧୦୦ ଫୁଟ ଉଚ୍ଚତାରେ ଉଡୁଥିଲା ।
କିନ୍ତୁ ହଠାତ୍ ବିମାନଟି ୩୫୦ମାଇଲ ବେଗରେ ତଳକୁ ଖସିବା ଆରମ୍ଭ କରିଥିଲା । ୨ମିନିଟ୍ ୧୫ ସେକେଣ୍ଡ ପରେ ବିମାନ ହଠାତ୍ ୯ହଜାର ୭୫ ଫୁଟ ତଳକୁ ଖସି ଆସିଥିଲା । ଆଉ ୨୦ ସେକେଣ୍ଡରେ ତାହା ୩ହଜାର ୨୨୫ ଫୁଟ ତଳକୁ ଖସି ଆସିଥିବା ଜଣାପଡିଛି । ଏହାପରେ ବିମାନଟି ପାହାଡ ମଝିରେ ଦ୍ରୁତ ବେଗରେ ଖସି ପଡିବା ସହ ଜଳିଯାଇଥିଲା ।
ବିମାନର ନିଆଁରେ ପାହାଡ ସଂଲଗ୍ନ ଜଂଗଲ ମଧ୍ୟ ଜଳିବାକୁ ଲାଗିଥିଲା । ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ପ୍ରଥମେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ମୃତ ଦେହ ଉଦ୍ଧାର କରିଥିଲେ ।
Powered by Froala Editor