ପୁଣି ଗୋଆ ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାଓ୍ବନ୍ତ

ପ୍ରମୋଦ ସାଓ୍ବନ୍ତ ପୁଣି ଥରେ ଗୋଆ ମୁଖ୍ୟମନ୍ତ୍ରୀ ହେବେ । କେନ୍ଦ୍ର ମନ୍ତ୍ରୀ ତଥା ଗୋଆ ପାଇଁ ବିଜେପି ପର୍ଯ୍ୟବେକ୍ଷକ ନିଯୁକ୍ତ ନରେନ୍ଦ୍ର ସିଂହ ତୋମାର ସୋମବାର ଏହାର ଘୋଷଣା କରିଛନ୍ତି। ସେ କହିଛନ୍ତି ବିଶ୍ଵଜିତ ରାଣେ ବିଧାୟକ ଦଳର ନେତା ଭାବେ ପ୍ରମୋଦ ସାଓ୍ଵନ୍ତଙ୍କ ନାମରେ ପ୍ରସ୍ତାବ ରଖିଥିଲେ। ସର୍ବସମ୍ମତି କ୍ରମେ ସାଓ୍ଵନ୍ତଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି।
ଏହା ପୂର୍ବରୁ ବିଜେପି ଉତ୍ତରାଖଣ୍ଡରେ ମଧ୍ୟ ଗତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ହିଁ ନିଜର ବିଧାୟକ ଦଳ ନେତା ଭାବେ ଚୟନ କରିଛି। ଆଜି ବସିଥିବା ଏକ ବୈଠକରେ ପ୍ରମୋଦ ସାଓ୍ବନ୍ତଙ୍କୁ ବିଜେପି ବିଧାୟକ ଦଳ ନେତା ଚୟନ କରାଯାଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ତଥା ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ପ୍ରମୋଦ କ୍ରମାଗତ ୨ୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ । ତେବେ ଶପଥ ଗ୍ରହଣ ଉତ୍ସବ ତାରିଖ ସଂପର୍କରେ ଏବେ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ପ୍ରମୋଦ ସାଓ୍ଵନ୍ତ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଧନ୍ୟବାଦ ଜଣାଉଛି। ମୋ ଉପରେ ଆସ୍ଥା ପ୍ରକଟ କରି ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାମ କରିବାକୁ ସୁଯୋଗ ଦେଇଛନ୍ତି। ମୁଁ ବହୁତ ଖୁସି ଯେ, ଗୋଆବାସୀ ମୋତେ ସ୍ଵୀକାର କରିଛନ୍ତି।
Powered by Froala Editor