ମୁଣ୍ଡ ଝାଇଁ ଝାଇଁ କରିଦେଉଛି ତାତି , ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ଅସହ୍ୟ ତାତି । ଦିନ ୧୦ଟାରେ ବାହାରୁକୁ ବାହାରିଲେ ମୁଣ୍ଡ ଝାଇଁ କରିଦେଉଛି । ଓଡିଶାରେ ତାତି ଏବେ ୪୦ ଡିଗ୍ରୀ ଡେଇଁଲାଣି । ଏଭଳି ତାତି ଆହୁରୀ ୨ ଦିନ ଯାଏଁ ଲାଗି ରହିବ । ସେହିପରି ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଓ ତା ଠାରୁ ଅଧିକ ରହିଛି । ବଲାଙ୍ଗୀର, ଅନୁଗୁଳ, ଟିଟଲାଗଡ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପାର କରିଛି । ସେହିପରି ଗୁରୁବାର ୯ଟି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ପ୍ରଥମ ଥର ଲାଗି ଚଳିତବର୍ଷ ଗ୍ରୀଷ୍ମ ସମୟରେ ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀରରେ ରେକର୍ଡ କରାଯାଇଛି । ଏଠାରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଥିବା ବେଳେ ଟିଟଲାଗଡରେ ୪୦.୨ ଓ ଅନୁଗୁଳରେ ୪୦ ଡିଗ୍ରୀ ରହିଥିଲା ।
ସେପଟେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ନୟାଗଡ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଉକ୍ତ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ହେବ ।
୧୮ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ ଓ ସମ୍ବଲପୁରର କିଛି ସ୍ଥାନରେ ହିଟୱେଭ୍ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
Powered by Froala Editor