ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି : ପୂର୍ବତନ ପ୍ରତିରକ୍ଷା ସଚିବଙ୍କ ବିରୋଧରେ ଚାର୍ଜସିଟ୍
୩୭୦୦ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାରେ ପୂର୍ବତନ ପ୍ରତିରକ୍ଷା ସଚିବ ଶଶୀକାନ୍ତ ଶର୍ମାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ ଶଶୀକାନ୍ତଙ୍କ ସମେତ ଅନ୍ୟ ୪ ବାୟୁସେନା କର୍ମୀଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍ ଦାଖଲ କରିଛି। ୪ ବାୟୁସେନା କର୍ମୀ ହେଲେ ପୂର୍ବତନ ଉପମୁଖ୍ୟ ଟେଷ୍ଟ ପାଇଲଟ୍ ଏସଏ କୁନ୍ତେ, ଓ୍ବିଙ୍ଗ କମାଣ୍ଡର ଥମାସ ମାଥ୍ୟୁ ଓ ଗ୍ରୁପ କ୍ୟାପଟେନ ଏନ.ସନ୍ତୋଷ । ଏନେଇ ବୁଧବାର ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ଶଶୀକାନ୍ତ ଶର୍ମା ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ପ୍ରତିରକ୍ଷା ସଚିବ ଥିଲେ । ପରେ ତାଙ୍କୁ କମ୍ପଟ୍ରୋଲ୍ ଆଣ୍ଡ ଅଡିଟର ଜେନେରାଲ୍(ସିଏଜି) ଭାବରେ ନିଯୁକ୍ତି ମିଳିଥିଲା।
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରଭୃତି ଭିଭିଆଇପିଙ୍କ ପାଇଁ ସୋଭିଏତ ଯୁଗର ଏମଆଇ୮ ଆଇ ଚପର ବଦଳରେ ଏକ ନୂଆ ହେଲିକାପ୍ଟର କ୍ରୟ ପାଇଁ ୧୯୯୯ରେ ଭାରତୀୟ ବାୟୁସେନା ଟେଣ୍ଡର ଆହ୍ବାନ କରିଥିଲା । କିନ୍ତୁ ଏଥିପାଇଁ ଥିବା ବୈଷୟିକ ମାନଦଣ୍ଡକୁ ପୂରଣ କରୁନଥିବାରୁ ଅଗଷ୍ଟା ଓ୍ବେଷ୍ଟଲାଣ୍ଡ କମ୍ପାନି ଏହି ଦୌଡ଼ରେ ନଥିଲା । କିନ୍ତୁ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଏସପି ତ୍ୟାଗୀ ବାୟୁସେନା ମୁଖ୍ୟ ହେବା ପରେ ଏହି ବୈଷୟିକ ମାନଦଣ୍ଡକୁ କିଛିଟା କୋହଳ କରିଥିଲେ । ଏହା ଫଳରେ ଅଗଷ୍ଟା ଏହି ଟେଣ୍ଡର ଦୌଡ଼ରେ ସାମିଲ ହୋଇପାରିଥିଲା । ଶେଷରେ ୨୦୧୦ରେ ୩୬ ଶହ କୋଟି ଟଙ୍କା ମୂଲ୍ୟ ବିନିମୟରେ ୧୨ଟି ଭିଭିଆଇପି ହେଲିକପ୍ଟର ଯୋଗାଇବାକୁ ଅଗଷ୍ଟା ଓ୍ବେଷ୍ଟଲାଣ୍ଡକୁ କଣ୍ଟ୍ରାକ୍ଟ ଦିଆଯାଇଥିଲା । ଏଥିପାଇଁ ମୋଟ ଡିଲ ପରିମାଣର ପ୍ରାୟ ୭ ପ୍ରତିଶତ ଲାଞ୍ଚ ଆକାରରେ ଦିଆଯାଇଥିଲା ବୋଲି ସିବିଆଇ ଅଭିଯୋଗ କରିଛି ।
ସୂଚନା ଥାଉକି, ସିବିଆଇ୨୦୧୬ରେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲା ହାତକୁ ନେଇଥିଲା। ପରେ ୨୦୧୭ ସେପ୍ଟେମ୍ବର ୧ ତାରିଖରେ ପୂର୍ବତନ ଏୟାର ଚିଫ୍ ମାର୍ସଲ ଏସ୍ପି ତ୍ୟାଗୀଙ୍କ ଏବଂ ଅନ୍ୟ ୧୧ ଜଣଙ୍କ ବିରୋଧରେ ପ୍ରଥମ ଚାର୍ଜଶିଟ୍ ଦାଖଲ କରିଥିଲା।
Powered by Froala Editor