ଲାଇଭ୍ ସୋ’ରେ ‘ନୋ ୱାର୍’ ପୋଷ୍ଟର ଧରି ଚାଲିଆସିଲେ ମହିଳା

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୦ ଦିନରେ ପହଞ୍ଚିଛି । ତଥାପି ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବାରେ ଲାଗିଛି । ସେପଟେ କିନ୍ତୁ ଋଷ ସରକାରଙ୍କ ଯୁଦ୍ଧ ନିଷ୍ପତ୍ତିକୁ ଋଷବାସୀ ବିରୋଧ କରୁଛନ୍ତି । ଏହାରି ଭିତରେ ଋଷର ଏକ ଟିଭି ଚ୍ୟାନେଲରେ ଲାଇଭ ସୋ ଚାଲିଥିବା ବେଳେ ଜଣେ ମହିଳା ହାତରେ ଯୁଦ୍ଧ ବିରୋଧୀ ପତାକା ଧରି ହଠାତ ସୋ ଭିତରେ ପ୍ରବେଶ କରିଥିଲେ ।
ଗଣମାଧ୍ୟମର ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ୭ ଟାରେ ଋଷ ଷ୍ଟେଟ ଚ୍ୟାନେଲ ରେ ଚାଲିଥିଲା ଲାଇଭ ସୋ । ଠିକ୍ ଏହି ସମୟରେ ହଠାତ ଚାଲିଆସିଥିଲେ ଜଣେ ମହିଳା । ଏହାପରେ ଚ୍ୟାନେଲର କର୍ମଚାରୀମାନେ ମହିଳା ଜଣଙ୍କୁ ବାହାରକୁ ନେଇଯାଇଥିଲେ । ମହିଳା ଜଣଙ୍କ ହାତରେ ‘ନୋ ୱାର୍’ ଥିବା ଏକ ପୋଷ୍ଟର ଧରି ୟୁକ୍ରେନରେ ମସ୍କୋର ସାମରିକ କାର୍ଯ୍ୟକୁ ନିନ୍ଦା କରିଥିଲେ। ଏଥିସହ ରୁଷୀୟ ଭାଷାରେ ଏହି ପୋଷ୍ଟରରେ ଯୁଦ୍ଧକୁ ବନ୍ଦ କରିବା ଏବଂ ପ୍ରଚାର ଉପରେ ବିଶ୍ୱାସ ନକରିବା ପାଇଁ ଲେଖାଯାଇଥିଲା।
ମହିଳା ଜଣଙ୍କ ନାମ ମାରିନା ଓଭସ୍ୟାଙ୍କିକୋଭା ବୋଲି ଜଣାପଡିଛି । ତେବେ ମହିଳାଙ୍କ ଏପରି କାର୍ଯ୍ୟକଳାପ ପରେ ତାଙ୍କୁ ଗିରଫ କରାଯାଇ ପୋଲିସ ହେପାଜତରେ ରଖାଯାଇଛି । ମହିଳା ଜଣଙ୍କ ସେହି ଟିଭି ଚ୍ୟାନେଲର ଜଣେ ସଂପାଦକ ବୋଲି ଜଣାପଡିଛି ।
ତେବେ ଲାଇଭ୍ ଶୋ’ରେ ବିରୋଧ କରିବା ପୂର୍ବରୁ ମାରିନା ଏକ ଭିଡିଓ ମେସେଜ ମଧ୍ୟ ରେକର୍ଡ କରି ଟ୍ୱିଟ୍ କରିଥିଲେ। ଯେଉଁଥିରେ ସେ କହିଛନ୍ତି ଯେ, ‘ତାଙ୍କ ବାପା ୟୁକ୍ରେନ ଏବଂ ମାତା ରୁଷର। ତାଙ୍କ ମା’ ୟୁକ୍ରେନକୁ ଶତ୍ରୁ ଭାବରେ ଦେଖନ୍ତି ନାହିଁ।’ ଆହୁରି ମଧ୍ୟ କହିଛନ୍ତି- ‘କ୍ରେମଲିନ୍ ପ୍ରପାଗେଣ୍ଡା ପାଇଁ କାମ କରିବାକୁ ମୁଁ ଲଜ୍ଜିତ। ମୁଁ ଲଜ୍ଜିତ ଯେ ମୁଁ ଟିଭିରେ ମିଛ କହୁଛି।’
Powered by Froala Editor