ହଟିଲା ପ୍ରତିବନ୍ଧକ : ଶିଖ୍ମାନେ ବିମାନ ବନ୍ଦରରେ ନେଇପାରିବେ ‘କୃପାଣ’
ବିମାନ ବନ୍ଦରରେ ଶିଖ କର୍ମଚାରୀ ଏବଂ ଯାତ୍ରୀଙ୍କ କୃପାଣ ଉପରେ ପ୍ରତିବନ୍ଧକ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଏଣିକି ଶିଖ୍ମାନେ ବିମାନ ବନ୍ଦରରେ ସେମାନଙ୍କ ଧାର୍ମିକ ଅସ୍ତ୍ର ‘କୃପାଣ’ ନେଇପାରିବେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ଦ ବ୍ୟୁରୋ ଅଫ୍ ସିଭିଲ ଏଭିଏସନ ସିକ୍ୟୁରିଟି ଏ ସମ୍ପର୍କିତ ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ନୂଆ ନିର୍ଦ୍ଦେଶ ଅନୁସାରେ ଏୟାରପୋର୍ଟକୁ ଧରି ଯାଉଥିବା କୃପାଣର ବ୍ଲେଡ ସାଇଜ୍ ୬ ଇଞ୍ଚରୁ ଅଧିକ ଏବଂ କୃପାଣଙ୍କ ଉଚ୍ଚତା ୯ ଇଞ୍ଚରୁ ଅଧିକ ହେବ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଜେପି ନେତା ମନଜିନ୍ଦର ସିଂ ସିରସା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସିଭିଲ ଏଭିଏସନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶ ଜାରି କରି ବିମାନ ବନ୍ଦରରେ ଶିଖ ସମୁଦାୟ ଲୋକଙ୍କ କୃପାଣ ରଖିବା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ। ଏହାକୁ ନେଇ ଶିଖ୍ ସମ୍ପ୍ରଦାୟର ପ୍ରମୁଖ ସଙ୍ଗଠନ୍ ଶିରୋମଣି ଗରୁଦ୍ୱାର ପ୍ରବନ୍ଧକ କମିଟି(ଏସ୍ଜିପିସି) ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। ମାର୍ଚ୍ଚ ୯ ତାରିଖରେ ଏସଜିପିସି ସଭାପତି ହରଜିନ୍ଦର ସିଂ ଧାମି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏକ ଚିଠି ଲେଖି ଆପତ୍ତି ଉଠାଇଥିଲେ। ସେ କହିଥିଲେ ଯେ, ମାର୍ଚ୍ଚ ୪ରେ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଶିଖ ଧର୍ମକୁ ଆଘାତ ପହଞ୍ଚାଇଛି।
Powered by Froala Editor