କାନାଡାରେ ଦୁର୍ଘଟଣା : ୫ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଆଉ ୨ ଗୁରୁତର

କାନାଡାର ଟରୋଣ୍ଟୋ ନିକଟରେ ଏକ ଟ୍ରାକ୍ଟର୍ ଟ୍ରଲିରେ ଭ୍ୟାନ୍ ଧକ୍କା ଖାଇବାରୁ ୫ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହତ ଆଉ ୨ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାନାଡ଼ାର ଆଞ୍ଚଳିକ ସମୟ ଶନିବାର ୩ଟା୪୫ରେ ଏହି ଦୁର୍ଘଟଣା ଘଟିଛି।
କାନାଡ଼ା ଗଣମାଧ୍ୟମ CP24 ଅନୁଯାୟୀ ଶନିବାର ସକାଳେ ଉକ୍ତ ଛାତ୍ରମାନେ ଗୋଟାଏ ଯାତ୍ରୀବାହୀ ଭ୍ୟାନ୍ରେ ପଶ୍ଚିମାଞ୍ଚଳକୁ ଯାଉଥିବା ବେଳେ ତାହା ଗୋଟାଏ ଟ୍ରାକ୍ଟର୍ ଟ୍ରଲି ସହ ଧକ୍କା ଖାଇଥିଲା। ଦୁର୍ଘଟଣାରେ ମୃତ ଛାତ୍ରମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ହରପ୍ରୀତି ସିଂ, ଜସପିନ୍ଦର ସିଂ, କର୍ଣ୍ଣପାଲ ସିଂ, ମୋହିତ ଚୌହାନ୍ ଏବଂ ପୱନ୍ କୁମାର। ଏମାନଙ୍କର ବୟସ ୨୧ରୁ୨୪ ମଧ୍ୟରେ ହେବ। ୫ ଭାରୀତୀୟ ଛାତ୍ରଙ୍କ ମୃତ୍ୟୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ୍ କରି ଜଣାଇଛନ୍ତି। ପୁଲିସ କହିଛି, ଘଟଣାର ତଦନ୍ତ ଚାଲିଛି। କାହାରି ବିରୋଧରେ କୌଣସି ଅଭିଯୋଗ ଦାଏର ହୋଇନାହିଁ।
ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସାରିୟା ଟୁଇଟ୍ କରିଛନ୍ତି: କାନଡାରେ ହୃଦୟ-ବିଦାରକ ଦୁଃଖଦ ଘଟଣା। ଶନିବାର ଦିନ ଟରୋଣ୍ଟୋ ନିକଟରେ ଗାଡ଼ି ଦୁର୍ଘଟଣା ଯୋଗୁଁ ୫ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଆଉ ୨ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ ଛାତ୍ରମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା। ସହାୟତା ନିମନ୍ତେ ପୀଡ଼ିତମାନଙ୍କ ବନ୍ଧୁମାନଙ୍କ ସହିତ ଇଣ୍ଡିଆନ୍ ଟରୋଣ୍ଟୋ ଟିମ୍ ସମ୍ପର୍କ ରଖିଛନ୍ତି।
ଶୋକ ବ୍ୟକ୍ତ କରି ଜାତିସଂଘସ୍ଥିତ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍. ତିରୁମୂର୍ତ୍ତି କହିଛନ୍ତି, ମୃତଛାତ୍ରମାନଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି।
Powered by Froala Editor