ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷର ଶିଶୁଙ୍କୁ ଦିଆଯିବ କୋର୍ବେଭାକ୍ସ

ଆସନ୍ତା ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷର ଶିଶୁଙ୍କୁ କୋର୍ବେଭାକ୍ସ (Corbevax) କୋଭିଡ୍ ଟିକା ଦିଆଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏଥିସହ ୬୦ବର୍ଷରୁ ଅଧିକ ସମସ୍ତ ବୟସ୍କ ବୁଷ୍ଟର ଡୋଜ୍ ନେଇପାରିବେ । ଏବେ ଭାରତରେ ଆଗଧାଡିର କରୋନା ଯୋଦ୍ଧା, ଯେପରିକି ସ୍ବାସ୍ଥ୍ୟକର୍ମୀ ଏବଂ ବିଭିନ୍ନ ରୋଗରେ ପୀଡିତ ଥିବା ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦିଆଯାଉଛି ।
ଗତ ବର୍ଷ ଜାନୁଆରୀ ୧୬ରୁ ଦେଶବ୍ୟାପୀ କୋଭିଡ୍ ଟିକା ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମେ କୋଭିଡ୍ ଯୋଦ୍ଧା ତଥା ସ୍ୱାସ୍ଥ୍ୟ କର୍ମୀ ଏବଂ ପରେ ଗତ ବର୍ଷ ଫେବୃଆରୀ ୨ରେ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା। ପରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବୟସର ବର୍ଗଙ୍କୁ ଟିକା ପ୍ରଦାନ କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ଟିକା ଅଭିଯାନ ଗତ ବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିଲା । ଏଥିରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଥିଲା।
ଏହା ପରେ ଏପ୍ରିଲ ୧ରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକା ଦିଆଯାଇଥିଲା। ଏହାରି ଭିତରେ କରୋନା ମହାମାରୀ ଉତ୍କଟ ରୂପଧାରଣ କରିବାରୁ କେନ୍ଦ୍ର ସରକାର ଟିକା ଅଭିଯାନକୁ ବ୍ୟାପକ କରିଥିଲେ । ଗତ ବର୍ଷ ମେ’ ୧ରେ ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଳି ପଡ଼ିଥିଲା। ପରେ ପରେ ଚଳିତ ବର୍ଷ ଜାନୁଆରୀ ୩ରେ ୧୫ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କୁ ଟିକା ପ୍ରଦାନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏବେ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ କୋଭିଡ୍ ଟିକା ଦିଆଯିବ ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ଟ୍ବିଟ୍ କରି କହିଛନ୍ତି, ପିଲାମାନେ ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ । ଆଗକୁ ସେ ଲେଖିଛନ୍ତି, ‘ଆସନ୍ତା ମାର୍ଚ୍ଚ ୧୬ ତାରିଖ ଠାରୁ ଦେଶରେ ୧୨ ରୁ ୧୪ ବର୍ଷ ବୟସ ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ । ଏହା ସହିତ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନେ ବୁଷ୍ଟର ଡୋଜ୍ ନେଇପାରିବେ’ । ପିଲାମାନେ ତଥା ବୟସ୍କ ବ୍ୟକ୍ତିମାନେ ଟିକା ନେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି ।
Powered by Froala Editor