ରୁଷ ସେନା ଆକ୍ରମଣରେ ଆମେରିକୀୟ ସାମ୍ବାଦିକ ମୃତ, ଦୁଇ ଜଣ ଗୁରୁତର
ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ପ୍ରଥମେ ସେନା, ପରେ ସାଧାରଣ ନାଗରିକ ଏବଂ ଏବେ ଅନ୍ୟ ଦେଶର ସାମ୍ବାଦିକଙ୍କୁ ବି ଟାର୍ଗେଟ କରୁଛି ରୁଷ। ଆଜି ୟୁକ୍ରେନ୍ରେ ଜଣେ ଆମେରିକୀୟ ଫିଲ୍ମ ନିର୍ମାତା ତଥା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନ୍ୟୁଜ୍ ଏଜେନ୍ସୀ ଏଏଫ୍ପି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହ ଅନ୍ୟ ଦୁଇ ଜଣ ଆମେରିକୀୟ ସାମ୍ବାଦିକ ଗୁରୁତର ଆହତ ହୋଇଥିବା ନେଇ ସୂଚନା ଦିଆଯାଇଛି ।
ମୃତ ସାମ୍ବାଦିକଙ୍କ ନାଁ ବ୍ରେଣ୍ଟ ରେନୌଡ୍। ତାଙ୍କୁ ୟୁକ୍ରେନ୍ର ଇରପିନ୍ରେ ଗୁଳି କରାଯାଇଥିଲା। କିଭ୍ ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରେଣ୍ଟଙ୍କ ସହିତ ଆଉ ଦୁଇ ଜଣ ସାମ୍ବାଦିକଙ୍କ ଠାରେ ମଧ୍ୟ ଗୁଳି ବାଜିଥିଲା। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ବ୍ରେଣ୍ଟ ‘ଦି ନ୍ୟୁୟର୍କ ଟାଇମ୍ସ’ ପାଇଁ କାମ କରୁଥିଲେ। ତେବେ ସେ ୟୁକ୍ରେନ୍କୁ ‘ଦି ନ୍ୟୁୟର୍କ ଟାଇମ୍ସ’ ପାଇଁ ଖବର ସଂଗ୍ରହ କରିବାକୁ ଯାଇ ନଥିଲେ। ‘ଦି ନ୍ୟୁୟର୍କ ଟାଇମ୍ସ’ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି।
ୟୁକ୍ରେନ୍ ସଂସଦର ସଭ୍ୟ ଇନ୍ନା ସୋବସନ କହିଛନ୍ତି ଯେ ବ୍ରେଣ୍ଟଙ୍କୁ ନିଶ୍ଚିତ ଭାବେ ରୁଷ ସେନା ଗୁଳି କରି ହତ୍ୟା କରିଛି। ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ବ୍ରେଣ୍ଟଙ୍କ ଶରୀରରେ ଗୁଳି ବାଜିଲା, ତାହା ସ୍ପଷ୍ଟ ହୋଇନାହିଁ।
Powered by Froala Editor