ଚମଡ଼ା ଗୋଦାମରୁ ନିଆଁ ଲିଭୁନି, ତଦନ୍ତ ନିର୍ଦ୍ଦେଶ ଦେଲେ ମମତା
କୋଲକାତାରେ ତଙ୍ଗରା ଅଞ୍ଚଳର ଏକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। କୋଲକାତା ପୋଲିସ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ପାଖାପାଖି ୬:୩୦ ସମୟରେ ମେହର ଅଲୀ ଲେନରେ ଏକ ଚମଡ଼ା କାରଖାନାରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ଆଖି ପିଛୁଳାକେ ଏହି ନିଆଁ ପୁରା ଅଞ୍ଚଳରେ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡର ଭୟାବହତାକୁ ଦେଖି ପୋଲିସ ଆଖପାଖ ଅଞ୍ଚଳକୁ ତୁରନ୍ତ ଖାଲି କରିଦେଇଥିଲା । ନିଆଁ ଏତେ ଭୟଙ୍କର ରୂପରେ ଲାଗିଛି ଯେ ଆୟତ୍ତ କରାଯାଇ ପାରିନାହିଁ । ୧୫ଟି ଦମକଳ ଗାଡ଼ି ଲଗାତାର ଭାବେ ଗତକାଲି ରାତିରୁ ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ ବି ନିଆଁ ସଂପୂର୍ଣ୍ଣ ଆୟତ୍ତକୁ ଆସିନାହିଁ। ଏବେ ବି ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଅଗ୍ନୀଶମ ବିଭାଗ ସହ ସ୍ଥାନୀୟ ଲୋକମାନେ ମଧ୍ୟ ନିଆଁ ଲିଭାଉଛନ୍ତି। ଲୋକମାନେ ନିଜ ଘରୁ ବାଲ୍ଟିରେ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଠା କରୁଛନ୍ତି।
ଅନ୍ୟପଟେ ଏହି ନିଆଁ କିଭଳି ଲାଗିଲା ସେ ନେଇ ତଦନ୍ତ ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor