ପେରୁମଲ ପାହାଡ଼ରେ ଭୟଙ୍କର ନିଆଁ : ଜଳୁଛି ଏକର ଏକର ଜଙ୍ଗଲ
ତାମିଲନାଡୁ ଡିଣ୍ଡିଗୁଲ ଜିଲ୍ଲା ପେରୁମଲ ପାହାଡରେ ଲାଗିଛି ଭୟଙ୍କର ନିଆଁ । ଏହି ନିଆଁ ହଜାର ହଜାର ଏକର ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ଗତ ଗୁରୁବାର ଠାରୁ ନିଆଁ ବଢି ଚାଲିଥିବାବେଳେ ବନବିଭାଗ ଉଦ୍ୟମ ବିଫଳ ହେଉଛି । ନିଆଁ ଲିଭିବା ବଦଳରେ ଆହୁରି ଆଗକୁ ମାଡି ଚାଲିଛି ।
ଡିଣ୍ଡିଗୁଲ ଜିଲ୍ଲା ବନ୍ୟପ୍ରାଣୀ ବିଭାଗଙ୍କ ଅନୁସାରେ, ଜଙ୍ଗଲରେ ପ୍ରଚୁର ବନ୍ୟପ୍ରାଣୀ ଅଛନ୍ତି। କିନ୍ତୁ ଜଙ୍ଗଲରେ ନିଆଁ ବ୍ୟାପିବା ଯୋଗୁ ବନ୍ୟପ୍ରାଣୀ ପ୍ରଭାବିତ ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଆସି ନାହିଁ। ତେବେ ଏଥିପ୍ରତି କଡ଼ା ନଜର ରଖା ଯାଇଥିବା ଅଧିକାରୀ କହିଛନ୍ତି। ଯଦି କୌଣସି କ୍ଷେତ୍ରରେ ବନ୍ୟପ୍ରାଣୀ ପ୍ରଭାବିତ ହେବା ନେଇ ସୂଚନା ଆସେ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି।
ନିଆଁକୁ ଆୟତ୍ତ କରିବା ଲାଗି ସବୁ ମନ୍ତେ ଉଦ୍ୟମ ହେଉଥିବା ଅଧିକାରୀ କହିଛନ୍ତି। ହେଲେ ଜଙ୍ଗଲରେ ନିଆଁ ଏତେ ଭୟାନକ ରୂପ ଧାରଣ କରିଛି ଯେ ସେଥିରୁ ଜଙ୍ଗଲକୁ ବଞ୍ଚାଇବା ଏବେ ଏତେ ସହଜ ନୁହେଁ ବୋଲି ମଧ୍ୟ ବନ ବିଭାଗ ଅଧିକାରୀ କହୁଛନ୍ତି।
ସୂଚନା ଅନୁସାରେ ଗତ ଦୁଇ ଦିନ ହେଲା ବଢୁଥିବା ତାପମାତ୍ରା ଯୋଗୁ ପଶ୍ଚିମଘାଟ ପର୍ବତମାଳା ସମେତ ଥୋଗାଇଭରୋଇ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ଫଳରେ ପେରୁମଲ ପର୍ବତ୍ୟାଞ୍ଚଳର ପରିସ୍ଥିତି ଜଟିଳ ହୋଇପଡିଛି। ନିଆଁ ଲିଭିବା ପରେ ହିଁ ଜଙ୍ଗଲର ବାସ୍ତବ କ୍ଷୟକ୍ଷତି ଜଣାପଡିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।
Powered by Froala Editor