ଆଜି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ
ଭୁବନେଶ୍ୱର: କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ଶୁକ୍ରବାର ରାଜ୍ୟରେ ନାଏବ ସରପଞ୍ଚ ନିର୍ବାଚନ ଶେଷ ହୋଇଛି । ଶନିବାର ୩୧୪ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ଓ ୧୩ ତାରିଖରେ ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପରୋକ୍ଷ ନିର୍ବାଚନ ହେବ।
ଶୁକ୍ରବାର ପଞ୍ଚାୟତ କାର୍ୟ୍ୟାଳୟରେ ଦିନ ୧୦ଟାରୁ ୧୧ଟା ପର୍ୟ୍ୟନ୍ତ ନାଏବ ସରପଞ୍ଚ ପାଇଁ ନାମାଙ୍କନ ଦାଖଲ ହୋଇଥିଲା । ୧୧ଟାରୁ ସାଢ଼େ ୧୧ଟା ଭିତରେ ନାମାଙ୍କନପତ୍ର ଯାଞ୍ଚ ଓ ୧୨ଟା ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହୋଇଥିଲା । ଅନେକ ପଞ୍ଚାୟତରେ ଜଣେ ପ୍ରାର୍ଥୀ ଥିବାରୁ ମତଦାନର ଆବଶ୍ୟକତା ପଡ଼ି ନଥିଲା । ଏକାଧିକ ପ୍ରାର୍ଥୀ ଥିବା ପଞ୍ଚାୟତରେ ଦିନ ୧୨ଟାରୁ ଅପରାହ୍ଣ ୧ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ପରେ ମତଗଣନା କରାଯାଇ ଫଳାଫଳ ଘୋଷଣା କରାଯାଇଛି ।
ସେହିପରି ରାଜ୍ୟର ୩୧୪ ବ୍ଲକ ଅଧ୍ୟକ୍ଷ ଆସନ ଭିତରୁ ଅନେକ ଜାଗାରେ ଟକରାଟକରି ସ୍ଥିତି ରହିଛି । କେଉଁଠି ବିଜେପି ତ କେଉଁଠି କଂଗ୍ରେସ ବିଜେଡିକୁ ଟକ୍କର ଦେଉଥିବାବେଳେ ବହୁ ବ୍ଲକରେ ଶାସକ ଦଳର ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗିଛି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ଶନିବାର ହେବ ଭୋଟ । ସମିତିସଭ୍ୟମାନେ ହିଁ ଭୋଟ ଦେଇ ବ୍ଲକ ଅଧ୍ୟକ୍ଷ ନିର୍ବାଚିତ କରିବେ ।
ଯେଉଁ ବ୍ଲକରେ ଏକାଧିକ ଅଧ୍ୟକ୍ଷ ଆଶାୟୀ ନାମାଙ୍କନପତ୍ର ଦାଖଲ କରିବେ ସେଠାରେ ଭୋଟ୍ ହେବ । ଏହା ପୂର୍ବରୁ ସମିତି ସଭ୍ୟ/ସଭ୍ୟାମାନଙ୍କୁ ନେଇ ଟଣାଓଟରା ଲାଗି ରହିଛି । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ପଞ୍ଚାୟତ ସମିତିର ଜଣେ ସମିତି ସଭ୍ୟା ଶୁକ୍ରବାର ଅଜ୍ଞାତବାସରୁ ଫେରୁଥିଲେ । ସୋନପୁର- ବୌଦ୍ଧ ରାସ୍ତାରେ ବିରୋଧୀ ଗୋଷ୍ଠୀ ସେମାନଙ୍କ ଗାଡ଼ିକୁ ଗୁଳିମାଡ଼ କରିଛନ୍ତି । ସମିତି ସଭ୍ୟା ଓ ଦୁଇ ସମ୍ପର୍କୀୟଙ୍କୁ ଅପହରଣ କରାଯାଇଥିବା ଖବର ମିଳିଛି । ସେହିପରି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅଞ୍ଚଳରେ ଜଣେ ସମିତି ସଭ୍ୟାଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ୨୦୧୭ ପଞ୍ଚାୟତ ନିର୍ବାଚନରେ ଚିତ୍ରକୋଣ୍ଡାକୁ ଛାଡ଼ି ୩୧୩ଟିରେ ବ୍ଲକ୍ ଅଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ ହୋଇଥିଲା । ବିଜେଡି ସର୍ବାଧିକ ୨୨୦ଟି ଦଖଲ କରିଥିଲା । କଂଗ୍ରେସ ୪୬ଟି ଓ ବିଜେପି ଭାଗରେ ପଡ଼ିଥିଲା ୩୮ଟି । ଏଥରକ ୩୦୦ ବ୍ଲକ୍ ଅଧ୍ୟକ୍ଷ ପଦ ଦଖଲ କରିବାକୁ ବିଜେଡି ଉଦ୍ୟମ କରୁଛି । ଉଭୟ ବିଜେପି ଓ କଂଗ୍ରେସ ସମର୍ଥିତ ସମିତି ସଭ୍ୟ/ସଭ୍ୟାମାନେ ଅନେକ ସ୍ଥାନରେ ବିଜୟୀ ହୋଇଛନ୍ତି । ସେମାନଙ୍କୁ ନିଜ ପକ୍ଷକୁ ଆଣିବାକୁ ଉଦ୍ୟମ ଚାଲିଛି ।
Powered by Froala Editor