ଭଗତସିଂହଙ୍କ ଜନ୍ମସ୍ଥାନରେ ଶପଥ ନେବେ ଭଗୱନ୍ତ
ଚଣ୍ଡିଗଡ : ମହାନ କ୍ରାନ୍ତୀକାରୀ ଭଗତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲନ୍ଠାରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ଶପଥ ଗ୍ରହଣ କରିବେ। ପ୍ରଥମ ଥର ପାଇଁ ଆମ୍ ଆଦ୍ମୀ ପାର୍ଟି ଏଠାରେ କ୍ଷମତାକୁ ଫେରିବା ପରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ୍ ଏହା ଘୋଷଣା କରିଛନ୍ତି। ଶପଥ ଗ୍ରହଣ ଦିନ ଓ ତାରିଖ ସଂପର୍କରେ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ସେ କହିଛନ୍ତି।
ପଞ୍ଜାବ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସହିଦ ଭଗତ ସିଂହଙ୍କୁ ଗୁରୁତ୍ବ ଦେଇ ଆସିଥିବା ଆମ୍ ଆଦ୍ମୀ ପାର୍ଟି (ଆପ୍)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ୍ଙ୍କ ମନ୍ତ୍ରିମଣ୍ଡଳ ରାଜଭବନ କିମ୍ବା ରାଜଧାନୀ ପରିବର୍ତ୍ତେ ଭଗତ ସିଂହଙ୍କ ପୈତୃକ ଗ୍ରାମରେ ଶପଥ ଗ୍ରହଣ କରିବେ ବୋଲି ସେ କହିଛନ୍ତି । ଗୁରୁବାର ନିର୍ବାଚନ ଫଳାଫଳ ପ୍ରକାଶ ପରେ ମାନ୍ ଦଳର କର୍ମୀଙ୍କୁ ବିଜୟ ଅଭିଭାଷଣ ପ୍ରଦାନ କରିବା ସହ ଏହି ସୂଚନା ଦେଇଛନ୍ତି । ଭଗତ ସିଂହଙ୍କ ଜନ୍ମସ୍ଥାନ ନୱନସର ଜିଲା ଅନ୍ତର୍ଗତ ଖଟକର କଲନ୍ଠାରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ସେ ଘୋଷଣା କରିଛନ୍ତି। ଏଥିସହିତ ସେ ଶପଥ ଗ୍ରହଣ କରିବା ପରେ ରାଜ୍ୟର କୌଣସି ସରକାରୀ କାର୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସ୍ଥାନ ପାଇବ ନାହିଁ; ଏହା ପରିବର୍ତ୍ତେ କେବଳ ଭଗତ ସିଂହ ଓ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଶୋଭା ପାଇବ ବୋଲି ମାନ୍ ଘୋଷଣା କରିଛନ୍ତି। ଆପ୍ ସରକାର ସାଧାରଣ ନାଗରିକଙ୍କର ସରକାର ହେବ ବୋଲି ସେ କହିଛନ୍ତି।
Powered by Froala Editor