ଭିଡିଓ ଜାରି କଲେ ଜେଲେଂସ୍କି, କହିଲେ 'ମୁଁ କାହାକୁ ଡରୁନାହିଁ, କୁଆଡେ ବି ଫେରାର୍ ହୋଇଯାଇ ନାହିଁ’
ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେଂସ୍କି ଦେଶ ଛାଡି ଚାଲିଯାଇଥିବା ଆଲୋଚନା ହେଉଥିଲା । ସେ ପୋଲାଣ୍ଡ ପଳାଇଥିବା ଗୁଜବ ଉଠିଥିଲା । କିନ୍ତୁ ଏବେ ମୁହଁ ଖୋଲିଛନ୍ତି ଜେଲେଂସ୍କି । ନିଜେ ଗୋଟିଏ ଭିଡିଓ ଜାରି କରି ନିଜର ଠିକଣା ସମ୍ପର୍କରେ ପୂରା ବିଶ୍ୱକୁ ସୂଚନା ଦେଇଛନ୍ତି। ଏଥିସହ ସେ ଲୁଚି ନାହାନ୍ତି ଓ କାହାକୁ ଡରନ୍ତି ନାହିଁ ବୋଲି ବେଶ ଦୃଢ଼ତାର ସହ କହିଛନ୍ତି।
ଭିଡିଓରେ ଜେଲେଂସ୍କି କହିଛନ୍ତି, ‘ମୁଁ ରାଜଧାନୀ କିଭ୍ରେ ଅଛି । କୁଆଡେ ବି ଫେରାର୍ ହୋଇଯାଇ ନାହିଁ । ମୁଁ କାହାକୁ ଡରୁନାହିଁ ।’ ବାଙ୍କୋଭା ହେଉଛି ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ। ଏହି ଦେଶାତ୍ମକ ଯୁଦ୍ଧକୁ ଜିତିବା ପାଇଁ ଯାହା ସବୁ ଦରକାର ସେ ସବୁ କରାଯିବ ବୋଲି ମଧ୍ୟ ଜେଲେଂସ୍କି ଦମ୍ଭୋକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି, “ଆଜି ଆମ ସଂଘର୍ଷର ଦ୍ୱାଦଶ ସନ୍ଧ୍ୟା(ସୋମବାର)। ଆମେ ସମସ୍ତେ ଯୁଦ୍ଧ କ୍ଷେତ୍ରରେ ରହିଛୁ। ଆମେ ସମସ୍ତେ ଏକାଠି କାମ କରୁଛୁ।
ମୁଁ କିଭରେ ଅଛି ଓ ମୋ ଟିମ ମଧ୍ୟ ଏଠାରେ ରହିଛନ୍ତି। ରୁଷ ସେନା ଦେଶ ଛାଡ଼ିବାକୁ ଚେଷ୍ଟା କରୁଥିବା ସାଧାରଣ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ରୁଷ ଓ ୟୁକ୍ରେନ ମଧ୍ୟରେ ମାନବୀୟ କରିଡର ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ଏହି ଚୁକ୍ତିକୁ କାର୍ଯ୍ୟକାରୀ କରାଯାଉଛି କି? ମାନବୀୟ କରିଡର ବଦଳରେ ରୁଷର ଟ୍ୟାଙ୍କ ତା’ର ଅସଲ ଚେହେରା ଦେଖାଉଛି। ରୁଷର ଏକାଧିକ ରକେଟ ଲଞ୍ଚର ଓ ରୁଷର ମେସିନ ଗନ ମାନୀବୟ କରିଡରର ସ୍ଥାନ ନେଇଛି।”
ଏହା ପୂର୍ବରୁ ମଧ୍ୟ ଏକ ଭିଡିଓ ଜାରି କରି ଜେଲେଂସ୍କି କହିଥିଲେ, ‘ୟୁକ୍ରେନ୍ର ଜନତାଙ୍କ ସହ ଅତ୍ୟାଚାର କରୁଥିବା ପ୍ରତ୍ୟୋକ ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରତିଶୋଧ ନିଆଯିବ । ଯୁଦ୍ଧ ପାଇଁ ଯେଉଁମାନେ ବି ଦାୟୀ ସେମାନଙ୍କୁ ସଜା ଦେବାପାଇଁ ମୁଁ ଶପଥ ନେଇଛି । ୟୁକ୍ରେନ୍ କିଛି ବି ଭୁଲିବନି ।’
Powered by Froala Editor