୧୫ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର:ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ତେବେ ଗୃହ ପରିଚାଳନା ନେଇ ଆସନ୍ତା ୧୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ପ୍ରକାଶ ଯେ, ପ୍ରଥମ ଦିନ ଗୃହକୁ ସମ୍ବୋଧନ କରିବେ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ୍ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଆଗତ କରିବେ । ୩୧ ତାରିଖରେ ବଜେଟ ପାରିତ ପାଇଁ ଆସିବ ବ୍ୟୟ ମଂଜୁରୀ ବିଲ୍ । ମାର୍ଚ୍ଚ ୨୭ ତାରିଖ ଓ ରବିବାର ଗୃହ କାର୍ୟ୍ୟ ବନ୍ଦ ରହିବ । ତେବେ ବଜେଟ ଅଧିବେଶନ ହେବା ନେଇ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେହିପରି ବଜେଟରେ କିପରି ଆୟବ୍ୟୟ ଅଟକଳ ରହୁଛି, କେଉଁ କ୍ଷେତ୍ର ପାଇଁ କଣ ଘୋଷଣା ହେଉଛି ତାହା ଉପରେ ମଧ୍ୟ ନଜର ରହିବ ।
ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ଯେଉଁ ସଦସ୍ୟ ମାନେ ଗୃହକୁ ଆସି ପାରିବେନି ତାଙ୍କ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରାଯିବ । ବିଭିନ୍ନ ବିଲ୍ , ଆଲୋଚନା , ତାରକା ଚିହ୍ନିତ ପ୍ରଶ୍ନ, ପ୍ରଶ୍ନକାଳ ,ଶୂନ୍ୟକାଳ ରହିଛି। ସମସ୍ତଙ୍କୁ ନେଇ ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିବ ବୋଲି ବାଚସ୍ପତି ଆଶା ପ୍ରକାଶ କରିଥିଲେ।
ପ୍ରକାଶ ଯେ ୨୦୨୧-୨୨ଆର୍ଥିକ ବର୍ଷରେ ସରକାର ପ୍ରଥମେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ପାସ୍ କରିଥିଲେ । ଡିସେମ୍ବର ମାସରେ ୧୯ ହଜାର ୮୩୩ କୋଟି ୧୩ ଲକ୍ଷ ୩୧ ହଜାର ଟଙ୍କାର ଅତିରିକ୍ତ ବଜେଟ୍ ପାରିତ ହୋଇଥିଲା । ଏଥର ବଜେଟ୍ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ସେସବୁ ଯୋଜନା ପାଇଁ ବଜେଟରେ ଅର୍ଥ ବରାଦ କରାଯିବ ।
Powered by Froala Editor