ରେକର୍ଡ: ଦୌଡ଼ରାଣୀ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ୮୧ତମ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନସିପ୍ରେ ୧୦୦ ମିଟର ଦୌଡ଼ରେ ଅଲିମ୍ପିଆନ୍ ତଥା କିଟ୍ ଛାତ୍ରୀ ଦୂତୀ ଚାନ୍ଦ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାସହ ଦୂତୀ ନୂଆ ମିଟ୍ ରେକର୍ଡ କରିଛନ୍ତି। ୧୦୦ ମିଟର ପାଇଁ ସେ ୧୧.୪୪ ସେକେଣ୍ଡ ସମୟ ନେଇଥିଲେ। ଆଜି ଚାମ୍ପିଅନସିପର ଦ୍ୱିତୀୟ ଦିନରେ ୮ଟି ବିଭାଗର ଫାଇନାଲ ଅନୁଷ୍ଠିତ ହୋଇଥିଲା।
ଶହେ ମିଟର ଦୌଡ଼ରେ କିଟ୍ ଛାତ୍ରୀ ଦୂତୀ ସ୍ୱର୍ଣ୍ଣ ଜିତିଥିବା ବେଳେ ମଧୁସ୍ମିତା ଦେବ୍ ଷଷ୍ଠ ସ୍ଥାନରେ ରହିଥିଲେ। ଉଭୟ ଖେଳାଳି ଦ୍ୱିତୀୟ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପାଇଁ ମନୋନୀତ ହୋଇଛନ୍ତି। ସେପଟେ ଆଜି ୪ ଗୁଣା ୧୦୦ ମିଟର ରିଲେ ଟିମ୍ ଦୌଡ଼ରେ ଦୂତୀ ଚାନ୍ଦ, ମଧୁମିତା ଦେବ, ରିୟା କୁମାରୀ ଓ ଶତକ୍ଷୀ ରାୟ ସେମିଫାଇନାଲକୁ ମନୋନୀତ ହୋଇଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ଲାଗି ଓଡ଼ିଶାରେ ୮୧ତମ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନସିପ୍ ଅନୁଷ୍ଠିତ ହେଉଛି।
Powered by Froala Editor