୩୯୬୫ କାର୍ ସହ ଜଳିଗଲା ଜାହାଜ
ନୂଆଦିଲ୍ଲୀ: ଆଣ୍ଟଲାଟିକ୍ ମହାସାଗର ଅନ୍ତର୍ଗତ ଆଜୋର୍ସ ଦ୍ବୀପ ନିକଟରେ ଏକ ବିରାଟ ପଣ୍ୟବାହୀ ଜାହାଜରେ ଥିବା ହଜାର ହଜାର ଦାମୀ କାର୍ ପୋଡ଼ି ପାଉଁଶ ହୋଇଯାଇଛି। ‘ଫକ୍ସ୍ୱାଗନ୍ ଗ୍ରୁପ୍’ର କାର୍ ପରିବହନ ହେଉଥିବା ପାନାମାର ଏହି ପ୍ରକାଣ୍ଡ ଜାହାଜ ‘ଦି ଫେଲିସିଟି ଏସ୍’ରେ ବୁଧବାର ଅପରାହ୍ଣରେ ଏହି ଅଗ୍ପିକାଣ୍ଡ ଘଟିଛି। ଏଥିରେ ଥିବା ୨୨ କର୍ମଚାରୀଙ୍କୁ ସଫଳତାର ସହ ଉଦ୍ଧାର କରାଯିବାରେ ସେମାନଙ୍କ ଜୀବନ ରକ୍ଷା ହୋଇପାରିଛି। ପର୍ତ୍ତୁଗାଲ୍ ନୌସେନା ଓ ବାୟୁସେନା ଏ କ୍ଷେତ୍ରରେ ପ୍ରଶଂସନୀୟ ଭୂମିକା ନିଭାଇଛନ୍ତି। ଉକ୍ତ ଜାହାଜରେ ୩,୯୬୫ଟି ଫକ୍ସ୍ୱାଗନ୍ ଏଜି, ଅଡି, ଲାମ୍ବରଗିନି, ପର୍ସ, ବେଣ୍ଟଲି ଆଦି ଅତି ଆରାମଦାୟକ ତଥା ଦାମୀ ଗାଡ଼ି ରହିଥିଲା। ଏଗୁଡ଼ିକୁ ଉଦ୍ଧାର କରାଯାଇପାରି ନାହିଁ। ଜର୍ମାନୀର ଉଫ୍ସବର୍ଗସ୍ଥିତ ଫକ୍ସୱାଗନ୍ ମୁଖ୍ୟାଳୟରୁ ଏମ୍ଡେନ୍ ବନ୍ଦର ଦେଇ ଫେବୃଆରୀ ୧୦ରେ ବାହାରିଥିବା ଉକ୍ତ କାର୍ ସବୁ ଆମେରିକାର ଟେକ୍ସାସ୍ସ୍ଥିତ ପୋର୍ଟ ଅଫ୍ ହଷ୍ଟନ୍କୁ ନିଆଯାଉଥିଲା। ଏଗୁଡ଼ିକ ଆସନ୍ତା ୨୩ରେ ରୋଡ୍ ଦ୍ବୀପର ଡେଭିସ୍ଭାଇଲ୍ଠାରେ ପହଞ୍ଚିବାର ଥିଲା। ଏଗୁଡ଼ିକ ପୋଡ଼ିଯିବା ଦ୍ବାରା ୯୯ହଜାର ୬୫୦ ଡଲାର କ୍ଷତି ଘଟିଥିବା ପ୍ରାଥମିକ ଆକଳନରୁ ପ୍ରକାଶ। ୨୦୦୫ରେ ନିର୍ମିତ ଉକ୍ତ ଜାହାଜ ୬୫୬ ଫୁଟ୍ ଦୀର୍ଘ ଓ ୧୦୪ ଫୁଟ ପ୍ରସ୍ଥ ବିଶିଷ୍ଟ। ଏହାର ପରିବହନ କ୍ଷମତା ୧୭,୭୩୮ ଟନ୍ ରହିଥିଲା।
ଅନ୍ୟ ଏକ ଦୁର୍ଘଟଣା ଘଟିଛି ଗ୍ରୀସ ଉପକୂଳ ଆୟୋନିଆନ ସାଗରରେ। ଏଠାରେ ଏକ କ୍ରୁଜ ଜାହାଜରେ ନିଆଁ ଲାଗିଯାଇଛି; ତେବେ ଯଥା ସମୟରେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଯିବାରୁ ଏଥିରେ ଥିବା ପ୍ରାୟ ୨୩୭ ଯାତ୍ରୀ ବର୍ତ୍ତି ଯାଇଛନ୍ତି। ଗ୍ରୀସର ଇଗୋମେନିସା ବନ୍ଦରରୁ ଇଟାଲିର ବ୍ରିଣ୍ଡିସି ଯାଉଥିବା ୟୁରୋଫେରି ଅଲିମ୍ପିଆ ନାମକ କ୍ରୁଜରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। କ୍ରୁଜ୍ ବନ୍ଦର ଛାଡ଼ିବାର ୯ ଘଣ୍ଟା ପରେ ଏହି ଦୁର୍ଘଟଣା ଘଟିଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଲାଇଫ୍ ବୋଟ୍ ମାଧ୍ୟମରେ ସମସ୍ତ ୨୩୭ ଯାତ୍ରୀ ଓ ୫୦ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ।
Powered by Froala Editor