ନିର୍ବାଚନୀ ହିଂସା, ୬ ଗୁରୁତର

ବ୍ରହ୍ମଗିରି: ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ । ସମସ୍ତ କଡାକଡି ସୁରକ୍ଷା ଭିତରେ ମଧ୍ୟ ବ୍ରହ୍ମପୁରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବ୍ରହ୍ମଗିରି ବ୍ଲକ ରାହାଡ଼ମଲ୍ଲ ପଞ୍ଚାୟତ ନିସିଭଅଁର ଗ୍ରାମର ୮ ନମ୍ବର ବୁଥରେ ନିର୍ବାଚନୀ ହିଂସାରେ ୬ ଜଣ ଗୁରୁତର ହୋଇଛନ୍ତି ।
ଅଭିଯୋଗ ଅନୂଯାୟୀ ବିଜେଡିକୁ ଭୋଟ ଦେବାକୁ କହି ବଜେପି କର୍ମୀଙ୍କୁ ଆକ୍ରମଣ ହୋଇଛି । ଏଥିରେ ୩ ଜଣ ପୁରୁଷ ଏବଂ ୩ ଜଣ ମହିଳା ଗୁରୁତର ହୋଇଛନ୍ତି । ଆହତଙ୍କ ମୁଣ୍ଡରେ ଗଭୀର ଆହତ ଲାଗିଛି । ୩ ଜଣ ରେବଣା ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ବେଳେ ଅନ୍ୟ ୩ ଜଣଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି । ନିର୍ବାଚନ ପାଇଁ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ପରେ ବି ବିଶୃଙ୍ଖଳା ସ୍ଥିତି ଉପୁଜିଛି ।
ପ୍ରକାଶ ଥାଉ କି ଆଜି ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ମତଦାନ କରୁଛନ୍ତି ମତଦାତା । ସକାଳ ୭ ଟାରୁ ଅପରାହ୍ନ ୧ଟା ଯାଏଁ ଭୋଟଗ୍ରହଣ ହେବ । ପ୍ରଥମ ପର୍ୟ୍ୟାୟରେ ୩୦ଟି ଜିଲ୍ଲାର ୭୨ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଜୋନ ଏବଂ ୧,୬୬୯ଟି ଗ୍ରାମପଞ୍ଚାୟତରେ ଭୋଟଗ୍ରହଣ ଚାଲିଛି ।
ଅନ୍ୟପକ୍ଷରେ ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ୩୦ଟି ଜିଲ୍ଲାର ୭୧ ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ବୁଥକୁ ପହଞ୍ଚିଥିବା ଭୋଟର ମତଦାନ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ସଚିବ କହିଛନ୍ତି ।
Powered by Froala Editor