ଗୀତ ଗାଇ ତିନି ପିଢୀଙ୍କୁ ସ୍ୱରରେ ମତୁଆଲା କରିଛନ୍ତି ଲତା
ନୂଆଦିଲ୍ଲୀ: ଲତା ମଙ୍ଗେସକର । ଭାରତର ସ୍ୱର । ରବିବାର ଥମି ଯାଇଛି ସେଇ ସ୍ୱର । ୯୩ ବର୍ଷ ବୟସରେ ଦୁନିଆରୁ ମେଲାଣି ନେଇଛନ୍ତି ସ୍ୱର ସମ୍ରାଜ୍ଞୀ । ଆଠ ଦଶକରେ ୨୫ ହଜାର ଗୀତ ଗାଇ ତିନି ପିଢୀଙ୍କୁ ସ୍ୱରରେ ମତୁଆଲା କରିଛନ୍ତି । ଶେଷରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଅନେକ ଦିନ ଚିକିତ୍ସାଧିନ ରହିବା ପରେ ଶନିବାର ଲତାଙ୍କର ଦେହାନ୍ତ ହୋଇଯାଇଛି । ପୁରା ଦେଶ ତାଙ୍କୁ ଦେଉଛି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳୀ । ଭାରତର ସ୍ୱର ଭାରତ ରତ୍ନ ଲତାଙ୍କ ଜୀବନ ଆରମ୍ଭ ହୋଇଥିଲା ଇନ୍ଦୋର ସହରରୁ । ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଲତାଙ୍କ ଜନ୍ମ ହୁଏ । ପିତା ଥିଲେ ମହାନ ମରାଠୀ ସଂଗୀତ କାର ଦିନାନାଥ ମଙ୍ଗେସକର । ପଣ୍ଡିତ ଦିନାନାଥଙ୍କ ମୁଳ ସାଙ୍ଗିଆ ଥିଲା ହାର୍ଡିକର । ଗୋଆର ମଙ୍ଗେସିରୁ ଆସିଥିବା ଦିନାନାଥ କିନ୍ତୁ ସ୍ଥାନ ନାମ ଅନୁସାରେ ନିଜ ସାଙ୍ଗିଆକୁ ମଙ୍ଗେସକର କରିଥିଲେ । ଏହାପରଠାରୁ ତାଙ୍କ ସନ୍ତାନ ମାନେ ମଧ୍ୟ ମଙ୍ଗେସକର ଭାବେ ପରିଚିତ ହୋଇଥିଲେ । ଲତାଙ୍କୁ ପ୍ରଥମେ ହେମା ନାମ ଦିଆଯାଇଥିଲା । କିନ୍ତୁ ପରେ ତାଙ୍କ ପିତା ନାମ ବଦଳାଇ ଲତା କରିଥିଲେ । ଦିନାନାଥଙ୍କ ଗୋଟିଏ ନାଟକ ହେମବନ୍ଧନ’ର ମୁଖ୍ୟନାୟିକା ଲତିକା ଅନୁସାରେ ଲତାଙ୍କ ନାମ କରଣ ହୋଇଥିଲା ।
ହତ୍ୟା ପାଇଁ ହୋଇଥିଲା ଉଦ୍ୟମ
ଲତା ଯେତେବେଳେ ନିଜ କ୍ୟାରିୟରର ଚରମରେ ଥିଲା ସେତେବେଳେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିଲା । ଲତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକଦା ତାଙ୍କ ହତ୍ୟା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା । ୧୯୬୨ ମସିହାରେ ଲତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିଲା । ଥରେ ନିଦରୁ ଉଠିବା ପରେ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ପରେ ଡାକ୍ତରୀ ଯାଂଚରୁ ତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିବା ଜଣା ପଡିଥିଲା । ତେବେ ଏହି ଷଡ଼ଯନ୍ତ୍ର କିଏ ରଚିଥିଲା ଓ କାହିଁକି ରଚିଥିଲା ତାହା ଆଜି ମଧ୍ୟ ଏକ ରହସ୍ୟ ।
ଲତା ବିବାହ କରିନଥିଲେ । ଭାଇ ଭଉଣୀ ଓ ସେମାନଙ୍କ ପିଲାଙ୍କୁ ନେଇଥିଲା ଲତାଙ୍କ ପରିବାର । ପିଲାଟି ଦିନରୁ ନିଜ ଭାଇ ଭଉଣୀଙ୍କୁ ମଣିଷ କରିବା ସଂଘର୍ଷ ଭିତରେ ଲତା ରହିଯାଇଥିଲା ଅବିବାହିତ । କୁହାଯାଏ ଯେ, ସଂଗୀତକାର ଭି.ରାମଚନ୍ଦ୍ରଙ୍କ ବ୍ୟକ୍ତିତ୍ୱ ଦ୍ୱାରା ଲତା ପ୍ରଭାବିତ ଥିଲେ । ଏହା ମଧ୍ୟ କୁହାଯାଏ ଯେ, ଲତା ରାମଚନ୍ଦ୍ରଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । କିନ୍ତୁ ଲତା କେବେ ମଧ୍ୟ ଏବାବଦରେ ମୁହଁ ଖୋଲିନଥିଲେ । ଲତାଙ୍କ ଆବର୍ତ୍ତମାନରେ ଭାରତୀୟ ସିନେ ସଂଗୀତ ଦୁନିଆ ତା’ର ସବୁଠାରୁ ପରିଚିତ ସ୍ୱରକୁ ହରାଇଛି । ଭାରତର ତିନି ପିଢି ଯେଉଁମାନେ ତାଙ୍କ ସଂଗୀତ ଶୁଣି ପିଲାରୁ ବଡ଼ ଓ ବଡରୁ ବୟୋବୃଦ୍ଧ ହୋଇଥିଲେ ସେମାନଙ୍କ ମନରେ ଚିର ଦିନ ପାଇଁ କିନ୍ତୁ ରହିବେ ଲତା ଏଥିରେ ସନ୍ଦେହ ନାହିଁ ।
Powered by Froala Editor