ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର କରାଉଛି ମୁମ୍ବାଇ ଟ୍ରାଫିକ୍ ଜାମ୍
ଟ୍ରାଫିକ ଜାମ ଯୋଗୁ ୩ ପ୍ରତିଶତ ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ହେଉଛି । ଲୋକେ ଠିକ୍ ସମୟରେ ଘରେ ପହଞ୍ଚି ପାରୁ ନାହାନ୍ତି କି ପରିବାରକୁ ସମୟ ଦେଇପାରୁ ନାହାଁନ୍ତି। ଫଳରେ ପତି-ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ହେଉଛି। ଏଭଳି ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ପତ୍ନୀ ଅମୃତା ଫଡ଼ନାଭିସ୍। ପେଷାରେ ବ୍ୟାଙ୍କର ଥିବା ଅମୃତା ଶନିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଏଭଳି ଅଜବ ଯୁକ୍ତି ରଖିଛନ୍ତି।
ଅମୃତ ରିପୋର୍ଟରମାନଙ୍କୁ ମୁମ୍ବାଇର ଟ୍ରାଫିକ ଓ ରାସ୍ତାଘାଟ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମୟରେ ସେ କହିଥିଲେ,“ମୁଁ ଜଣେ ସାଧାରଣ ନାଗରିକ ହିସାବରେ ଭୋଗୁଥିବା ସମସ୍ୟା ଗୁଡ଼ିକ କଥା କହୁଛି। ଯେତେବେଳେ ମୁଁ ବାହାରକୁ ବାହାରୁଛି ମୁମ୍ବାଇ ରାସ୍ତାରେ ଗାତ ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ଦେଖୁଛି। ଟ୍ରାଫିକ ସମସ୍ୟା ଯୋଗୁ ଲୋକମାନେ ସେମାନଙ୍କ ପରିବାର ଲୋକଙ୍କୁ ସମୟ ଦେଇପାରୁ ନାହାନ୍ତି। ଏହି କାରଣର ପାଇଁ ମୁମ୍ବାଇରେ ୩% ଛାଡ଼ପତ୍ର ମାମଲା ଘଟୁଛି। ଲୋକମାନେ ଟ୍ରାଫିକ ସମସ୍ୟା ଯୋଗୁ ମାନସିକ ଚାପରେ ମଧ୍ୟ ରହୁଛନ୍ତି।”
ଅମୃତାଙ୍କ ଏପରି ଅଜବ ବୟାନ ପରେ ମୁମ୍ବାଇ ମେୟର କିଶୋରୀ ପେଦନାକର କହିଛନ୍ତି ଯେ ଅମୃତାଙ୍କ ବୟାନ ଆଶ୍ଚର୍ଯ୍ୟକର। ବିଜେପି ସହିତ ସଂଶ୍ଳିଷ୍ଟ ଲୋକମାନେ ଏଭଳି ଅଜବ ବୟାନ ଦେଇଥାନ୍ତି ବୋଲି ପେଦନାକର କହିଛନ୍ତି। ଅନ୍ୟପଟେ ଅମୃତାଙ୍କ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥବା ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ନା ନନେଇ ଟ୍ୱିଟ୍ କରି ଅମୃତାଙ୍କୁ କଟାକ୍ଷ କରିଛନ୍ତି। “ବେଷ୍ଟ ଲଜିକ୍ ଅଫ୍ ଦି ଡେ ଆୱାର୍ଡ ସହି ମହିଳାଙ୍କୁ ଦିଆଯିବା କଥା ଯିଏ ମୁମ୍ବାଇର ଟ୍ରାଫିକ୍ ସମସ୍ୟା ଯୋଗୁ ୩% ଛାଡ଼ପତ୍ର ହେଉଛି ବୋଲି କହୁଛନ୍ତି। ବେଙ୍ଗାଲୁରୁ ପରିବାର ଦେଖନ୍ତୁ ନାହିଁ ନହେଲେ ଆପଣଙ୍କ ବିବାହ ପ୍ରତି ଏହା ବିପଦ ସୃଷ୍ଟି କରିପାରେ।”
Powered by Froala Editor