ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଗିରଫ
ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କ ପୁତୁରା ଗିରଫ ହୋଇଛନ୍ତି । ଭୂପିନ୍ଦର ସିଂହ ହନୀଙ୍କୁ ଗିରଫ କରିଛି ପ୍ରବର୍ତନ ନିଦେ୍ର୍ଧଶାଳୟ। ଗତ ସପ୍ତାହରେ ଇଡି ହନୀଙ୍କ ଫ୍ଲାଟରେ ରେଡ୍ କରିଥିଲା । ଏହି ସମୟରେ ସେଠାରୁ ୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ବେଆଇନ ବାଲି ଖନନ ମାମଲାରେ ଅର୍ଥ ହେରଫର ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ପୁତୁରାକୁ ଗିରଫ କରିଛି ଇଡି। ପାଖାପାଖି ୮ ଘଂଟାର ପଚରାଉଚରା ପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଇଡିର ଅଧିକାରୀମାନେ ଗତକାଲି ମୋହାଲିରେ ଥିବା ହନୀଙ୍କ ହିମଲ୍ୟାଣ୍ଡ ସୋସାଇଟି ଫ୍ଲାଟରେ ପହଞ୍ଚିଥିଲେ । ଏହାପରେ ତାଙ୍କୁ ମାରାଥାନ ଜେରା କରାଯାଇଥିଲା । ଦିନ ତମାମ ଜେରା କରାଯିବା ପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇ ଜଲନ୍ଧରରେ ଥିବା ଇଡି ଅଫିସକୁ ନିଆଯାଇଛି ।
ଜଲନ୍ଧର ସିଭିଲ ହସ୍ପିଟାଲରେ ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା । ଆଜି ତାଙ୍କୁ ପୁଣି ମୋହାଲି ଅଣାଯାଇ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହଜାର କରାଯିବ । ଏହି ସମୟରେ ହନୀଙ୍କୁ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିବ ବୋଲି ଜଣାପଡିଛି ।
ଗତ ସପ୍ତାହରେ ଇଡି କରିଥିବା ରେଡ୍ ବେଳେ ହନୀଙ୍କ ପାଖରୁ ୮ କୋଟିର ନଗଦ ଟଙ୍କା, ୨୧ ଲକ୍ଷର ସୁନା ଅଳଙ୍କାର, ୧୨ ଲକ୍ଷର ଗୋଟିଏ ଘଣ୍ଟା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀକୁ ମିଶାଇ ମୋଟ ୧୦ କୋଟି ଟଙ୍କାର ସମ୍ପତ୍ତି ମିଳିଥିଲା । ଏହାପରେ ତାଙ୍କୁ ତଦନ୍ତରେ ସାମିଲ ହେବାକୁ ସମନ କରାଯାଇଥିଲା। ସେତେବେଳେ ଜେରା ପରେ ତାଙ୍କୁ ଛଡା ଯାଇଥିଲା । ତେବେ ତାଙ୍କୁ ପୁଣିଥରେ ହାଜର ହେବାକୁ ସମନ କରାଯାଇଥିଲା । କିନ୍ତୁ ସେ ଏହାକୁ ବେଖାତିର କରିଥିଲେ। ଏବେ ତାଙ୍କୁ ଇଡି ଗିରଫ କରିଛି।
Powered by Froala Editor