କରୋନାରେ ଯଲିଉଡ୍ର ନାୟିକା ତୃପ୍ତି ପଣ୍ଡାଙ୍କ ମୃତ୍ୟୁ
କରୋନାରେ ଯଲିଉଡ୍ର ନାୟିକା ତୃପ୍ତି ପଣ୍ଡାଙ୍କ ବିୟୋଗ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇ ତୃପ୍ତି ଓ ତାଙ୍କ ସ୍ଵାମୀ ସୁଶାନ୍ତ ପଣ୍ଡା କିଛି ତଳେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସନ୍ଧ୍ୟାରେ ତୃପ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ଵାମୀ ଚିକିତ୍ସାଧୀନ ଅଛନ୍ତି।
ତୃପ୍ତି ଓ ତାଙ୍କ ସ୍ୱାମୀ ବାବୁଲି ପଣ୍ଡା ଚଳିତବର୍ଷ ଯାତ୍ରା ମଞ୍ଜରୀରେ ଅଭିନୟ କରୁଥିଲେ। ବାଲେଶ୍ୱର ଜିଲ୍ଲା ଲଙ୍ଗଳେଶ୍ୱରରେ ଯାତ୍ରା କରିବାକୁ ଅନୁମତି ନମିଳିବାରୁ ସବୁ କଳାକାର ଘରକୁ ଫେରିଆସିଥିଲେ। ତୃପ୍ତି ଓ ବାବୁଲି ମଧ୍ୟ ଘରକୁ ଫେରି ଆସି ହୋମ୍ ଆଇସୋଲେସନ୍ରେ ଥିଲେ। ତିନି ଦିନ ତଳେ ହଠାତ୍ ତୃପ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ମୃତ୍ୟୁ ଘଟିଛି। ତୃପ୍ତିଙ୍କ ପରିବାରରେ ଅନେକ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନ୍ ଓ କ୍ୱାରେଣ୍ଟାଇନ୍ରେ ଥିବା ଜଣାପଡ଼ିଛି।
ତୃପ୍ତି ହେଉଛନ୍ତି ଯାତ୍ରା ଜଗତର ଜଣାଶୁଣା ଖଳନାୟକ ଦଇତାରୀ ପଣ୍ଡାଙ୍କ ଭାଇ ବୋହୂ। ଖୁବ୍ କମ ବୟସରେ ଯାତ୍ରା ଜଗତରେ ସୁନାମ ଅର୍ଜନ କରିଥିବା ତୃପ୍ତି ପଣ୍ଡା ବଦନାମ ଗଳିର ଝିଅ ନାଟକରେ ଟାଇଟଲ୍ ଚରିତ୍ର ଅଭିନୟ କରି ବେଶ୍ ପ୍ରସିଦ୍ଧ ଲାଭ କରିଥିଲେ। ସେ ୫୦ରୁ ଅଧିକ ନାଟକରେ ଅଭିୟନ କରିଛନ୍ତି। ମୃତ୍ୟୁ ବେଳକୁ ତୃପ୍ତିଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇ ଥିଲା। ତାଙ୍କର ୫ ବର୍ଷର ଗୋଟେ ଝିଅ ଅଛି। ତାଙ୍କ ବିୟୋଗରେ ଯଲିଉଡ୍ରେ ଶୋକର ଛାୟା ଖେଳି ଯାଇଛି।
Powered by Froala Editor