କୋଭିଡ୍ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଔଷଧ ଓ ଅମ୍ଳଜାନ ମହଜୁଦ ରଖିବାକୁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବେଳେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ଅନଲାଇନରେ ମିଳିବ କୋଭିଡ୍ ହସପିଟାଲରେ ଥିବା ଖାଲି ଶଯ୍ୟା ସଂଖ୍ୟା । ଏଥିପାଇଁ ରିଅଲ ଟାଇମ ବେଡ ମ୍ୟାନେଜମେଣ୍ଟ ସିଷ୍ଟମ ଲାଗୁ କରାଯିବ । ଏହା ସହିତ ସମୟାନୁସାରେ ଆବଶ୍ୟକ ପରିମାଣରେ ଅମ୍ଳଜାନ ଓ ଔଷଧ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ସ୍ଥିତିରେ କିଛି ବ୍ୟବସାୟୀ ସଙ୍ଗଠନ ବାଣିଜ୍ୟ ସମୟସୀମା ହ୍ରାସ କରି କୋଭିଡ ପରିଚାଳନାରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି। ଏହିଭଳି ସଂଗଠନଗୁଡ଼ିକୁ କୋଭିଡ ପରିଚାଳନାରେ ଅଂଶୀଦାର କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଲୋକଙ୍କ ଜୀବନ ରକ୍ଷା ପାଇଁ ପର୍ଯ୍ୟାପ୍ତ ଔଷଧ, ଅମ୍ଳଜାନ ଠିକ ସମୟରେ ଯୋଗାଇଦେବା ସହ ଏହାର ସୁବନ୍ଦୋବସ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ପ୍ରତିଟି ବହୁମୂଲ୍ୟ ଜୀବନର ସୁରକ୍ଷା ପାଇଁ ଆମ ଡାକ୍ତର, ମେଡ଼ିକାଲ କର୍ମଚାରୀମାନେ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ନିଷ୍ଠାପର ସେବାକୁ ସମ୍ମାନ ଜଣାଇବା ସହ କୋଭିଡ ଯୁଦ୍ଧକୁ ଆହୁରି ଦୃଢ଼ କରିବାକୁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ସହ ଏକ ସଚେତନ ନାଗରିକର ଦାୟିତ୍ୱ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।
ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଯେପରି ଚାପ କମ୍ ରହିବ, ସେଥିପାଇଁ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ କାମ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଂକ୍ରମଣ ସଂଖ୍ୟା ବୃଦ୍ଧି ସତ୍ତ୍ବେ ଆମେ ନିରନ୍ତର ଭାବେ ସେବା କରିଚାଲିଛୁ। କିନ୍ତୁ କେତେକ ଜିଲ୍ଲାରେ ସଂକ୍ରମଣର ସ୍ଥିତି ଆମ ପାଇଁ ଉଦ୍ ବେଗ ସୃଷ୍ଟି କରିଛି। ଭାଇରସ୍ର ଡବଲ ଓ ଟ୍ରିପଲ ମ୍ୟୁଟାଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଦ୍ବିତୀୟ ଲହରରେ ଆମର ଯୁବଗୋଷ୍ଠୀ ବିଶେଷ ଭାବରେ ସଂକ୍ରମିତ ହେଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ଜଟିଳତା ଦେଖା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି ।
Powered by Froala Editor